
ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ଡାଉନ୍ କଟକଣାକୁ ଖାତିର ନକରି ନୟାଗଡ଼ ସହରରେ ଅନେକ ଅମାନିଆ ଦୋକାନୀ ସେମାନଙ୍କ ଦୋକାନ ଖୋଲି ମନଇଚ୍ଛା ବେପାର ବଣିଜ ଚଳାଇଥିଲେ । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଆଜି ପୈାର ପ୍ରଶାସନ ପକ୍ଷରୁ ସହରରେ ଚଢ଼ାଉ କରାଯାଇ ୧୮ ଦୋକାନକୁ ସିଲ୍ କରାଯାଇଛି । ଏହି ଦୋକାନ ଗୁଡ଼ିକ ମଧ୍ୟରେ ରହିଛି ବହି, ଲୁହା ଓ ରଙ୍ଗ, କମ୍ପ୍ୟୁଟର, ସ୍ନାସ୍କ, ପ୍ଲାଏ, ପାନ, ଟାୟାର ଓ ଇଲେକ୍ଟ୍ରି ଦୋକାନ । ସୂଚନାନୁସାରେ, ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଆଜି ପୈାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ସହରରେ ବେନିୟମ ଭାବେ ଦୋକାନ ଖୋଲିଥିବା ଶତାଧିକ ଦୋକାନୀ ଭୟରେ ଦୋକାନ ତାଲା ପକାଇ ଛତ୍ରଭଙ୍ଗ ଦେଇଥିବା ବେଳେ ୧୮ ଦୋକାନୀ ପୈାର କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି । ଏହି ଦୋକାନ ଗୁଡ଼ିକୁ ପୈାର ପରିଷଦ ପକ୍ଷରୁ ତାଲା ପକାଇ ଦିଆଯାଇଥିବା ବେଳେ ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ଚାବି ଫେରାଯିବ ବୋଲି ଜଣାପଡ଼ିଛି । ପୈାର କର୍ମଚାରୀ ନାରାୟଣ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ଦୋକାନ ଗୁଡ଼ିକ ସିଲ୍ କରାଯାଇଥିବା ବେଳେ ଅନ୍ୟ ପୈାର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।







