ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ଘଟଣାର ଗୁମର ଖୋଲୁଛନ୍ତି ନୟାଗଡ଼ ଆରକ୍ଷ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସମସ୍ତ ତଥ୍ୟ ଉପସ୍ଥାପନା କରିଛନ୍ତି । ପୁଲିସ ଗତକାଲି ଏହି ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା । ଅମ୍ରିତ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନଦର୍ଶନ ପଣ୍ଡା, ଭକ୍ତଦର୍ଶନ ପଣ୍ଡା ଓ ସୁନିଲ କୁମାର ପାଣିଗ୍ରାହିଙ୍କୁ ଗିରଫ କରିଥିଲା । ସେମାନଙ୍କୁ ନେଇ କୁରାଳ ଗ୍ରାମରେ ସିନ ରିକ୍ରିଏସନ କରିବା ସହିତ ସମସ୍ତ ତଥ୍ୟକୁ ଅପହରଣ କାରିମାନେ ମାନି ନେଇଥିଲେ । ସୁଚନା ଥାଉକି ଅମ୍ରିତ ଟିୟୁସନରୁ ଫେରିଲା ପରେ ରାତ୍ରି ୭.୩୦ ସମୟରେ ସ୍ୱପ୍ନଦର୍ଶନ ପଣ୍ଡା ଓ ଭକ୍ତଦର୍ଶନ ପଣ୍ଡା ଏକ ପିକଅପ ଭ୍ୟାନରେ ଅପହରଣ କରିଥିଲେ । ପ୍ରଥମ ଦିନ ସେମାନେ ଅମ୍ରିତକୁ ନେଇ କୋମଣ୍ଡ ପାଖରେ ପହଞ୍ଚିଥିଲେ । ପିକଅପ ଭ୍ୟାନ ଗାଡ଼ିରୁ ତେଲ ସରି ଯାଇଥିବାରୁ ଉକ୍ତ ଛକ ପାଖରେ ତେଲ ସଂଗ୍ରହ କରିଥିଲେ । ସେହିଦିନ ରାତ୍ରିରେ କୁରାଳର ଶୁକାନ୍ତ ପଣ୍ଡାଙ୍କର ଗୋଟିଏ ପୁରୁଣା ଓଲଡିଙ୍ଗ ଦୋକାନରେ ଅମ୍ରିତକୁ ରଖିଥିଲେ । ଯେହେତୁ ଶୁକାନ୍ତ ପଣ୍ଡା ପଞ୍ଜାବରେ ରୁହନ୍ତି ଏହାର ଚାବି ସ୍ୱପ୍ନଦର୍ଶନ ପଣ୍ଡାଙ୍କ ପାଖରେ ରହୁଥିଲା ଅପହରଣକାରୀ ମାନେ ଅମ୍ରିତକୁ ସେଠାରେ ରଖିବାକୁ ସୁବିଧା ହୋଇଥିଲା । ସେହି ସ୍ଥାନଟି ସୁରଖିତ ନଥିବାରୁ ସେମାନେ ଅମ୍ରିତକୁ କୁରାଳ ପଣ୍ଡିତ ସାହି ଶୁକାନ୍ତ ପଣ୍ଡାଙ୍କ ଘରକୁ ଆଣିଥିଲେ । ସେଠାରେ ଏକ ଆରି ସାହାଯ୍ୟରେ ତାଲାକୁ କାଟିଥିଲେ ।

ଅପହରଣକାରି ମାନେ ସମସ୍ତେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ । ପୁଲିସ ଉକ୍ତ ଘରୁ ଅନେକ ଜିନିଷ ମଧ୍ୟ ଜବତ କରିଛି । ଅମ୍ରିତକୁ ସେମାନେ ବିଷ୍କୁଟ, ପକୁଡି ଆଦି ଖାଦ୍ୟ ଦେଇଥିଲେ । ସେଠାରେ ଦୁଇଗୋଟି ଗାମୁଛା ଦ୍ୱାରା ଅମ୍ରିତକୁ ବାନ୍ଧି ରଖିଥିଲେ । ପୁଲିସ ଦୁଇ ଗୋଟି ଗାମୁଛା, ଏକ ପଲିଥିନ ଜରି ଓ ଆରିକୁ ଜବତ କରିଛି । ଅମ୍ରିତର ଟିୟୁସନ ବ୍ୟାଗକୁ ମଧ୍ୟ ଏକ କୂଅରୁ ଜବତ କରାଯାଇଛି । ଅପହରଣର ୩ ଦିନ ପୂର୍ବରୁ ସେମାନେ ଅମ୍ରିତକୁ ଉଠାଇବା ପାଇଁ ଯୋଜନା କରିଥିଲେ । କିନ୍ତୁ ସଫଳ ହୋଇପାରୁନଥିଲେ । ଅମ୍ରିତ ସେଦିନ ଏକା ଫେରୁଥିବାରୁ ସେମାନଙ୍କୁ ଉଠାଇବା ପାଇଁ ସହଜ ହୋଇଥିଲା । ଅମ୍ରିତର ବାପା ଅତି ସାଧାସିଧା ଥିବାରୁ ଅମ୍ରିତକୁ ଉଠାଇ ବ୍ଲାକମେଲିଂ କରି ତାଙ୍କ ବାପା ଠାରୁ ଟଙ୍କା ଆଣିବା ପାଇଁ ଯୋଜନା କରିଥିଲେ । ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନଦର୍ଶନ ପଣ୍ଡା ଏକ ଫାଇନାନ୍ସ କମ୍ପାନିରୁ ୯ ଲକ୍ଷ ଟଙ୍କା ଲୋନ କରିବା ସହିତ ଅନ୍ୟ କିଛି ଜାଗାରୁ ଟଙ୍କା ଉଧାର ଆଣିଥିଲେ । ମୁଖ୍ୟ ଅଭିଯୁକ୍ତ ଋଣକାନ୍ତ ଥିବାରୁ ସେ ଏଭଳି ଯୋଜନା ରଚିଥିଲା । ସେ ଜାଣିଥିଲାଯେ ଅମ୍ରିତର ବାପା ପାଖରେ ଅନେକ ଟଙ୍କା ଅଛି । ସେଥିପାଇଁ ସେ ନିଜ ବଡ଼ ଭାଇ ଭକ୍ତଦର୍ଶନ ପଣ୍ଡାକୁ ସାମିଲ କରିଥିଲା । ଏଥିସହିତ ସୁନିଲ କୁମାର ପାଣିଗ୍ରାହିଙ୍କୁ କିଛି ଟଙ୍କା ଦେବ କହି ମୁଖ୍ୟ ଅଭିଯୁକ୍ତ ଏଥିରେ ସାମିଲ କରିଥିଲା । ଘଟଣାଟି ବହୁମାତ୍ରାରେ ପ୍ରଚାର ପ୍ରସାର ହେବାରୁ ସେମାନେ ଅମିତର ବାପାକୁ ବ୍ଲାକମେଲିଂ କରିବାରେ ସଫଳ ହୋଇନଥିଲେ । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଆରକ୍ଷ ଅଧୀକ୍ଷକ ଅମ୍ରିତ ଅପହରଣ ଘଟଣାର ଗୁମର ଖୋଲିଛନ୍ତି । ଏହି ସାମ୍ବାଦିକ ସମ୍ମିଳନିରେ ସରଣକୁଳ ଏସଡିପିଓ କିରନ ହେମ୍ରମ ଓ ଓଡ଼ଗାଁ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ପ୍ରମୁଖ ସାମିଲ ହୋଇଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଫରୱାଡ କରାଯିବ ।





