ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ୱଶୁରଙ୍କୁ ତାଲା ପକାଇ ଟଙ୍କା ସୁନା ନେଇ ପଳାଇବା ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡି ଯେଉଁ ପ୍ରେମିକ ସହ ଫେରାର ହୋଇଛନ୍ତି ସେ ଜଣେ ନାବାଳକ । ଏନେଇ ନାବାଳକଙ୍କ ବାପା-ମା’ ମୁହଁ ଖୋଲିଛନ୍ତି । ପୁଅକୁ ନ ପାଇଲେ ସେ ଥାନାରେ ଅପହରଣ ଅଭିଯୋଗ କରିବେ ଚେତାବନୀ ଦେଇଛନ୍ତି । ପ୍ରଦୀପ ନାୟକ ହେଉଛନ୍ତି ଆସିଷ୍ଟାଣ୍ଟ ବ୍ୟାଡମିଣ୍ଟନ କୋଚ୍ । ଗଙ୍ଗନଗର ପ୍ଲଟ୍ ନମ୍ବର-୩୦୫ରେ ଘର ଭଡା ନେଇ ରହୁଛନ୍ତି । ତାଙ୍କ ପତ୍ନୀ ନମିତା ନାୟକ ଗତ ବୁଧବାର ଶ୍ୱଶୁରଙ୍କୁ ତାଲା ପକାଇ ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ । ଏନେଇ ପ୍ରଦୀପ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଅରମ୍ଭ କରିଥିଲା । ହେଲେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ନମିତା ଯାହା ସହ ଫେରାର ହୋଇଯାଇଛନ୍ତି ସେ ଜଣେ ନାବଳକ ବୋଲି ଜଣାପଡିଛି । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ, ଦଶପଲ୍ଳାରେ ରହୁଥିବା ନାବାଳକର ବାପା-ମା’କହିଛନ୍ତି, ତାଙ୍କ ପୁଅର ବୟସ ୧୭ ବର୍ଷ । ପୁଅ ଯେତେବେଳେ ଦଶମ ପଢ଼ୁଥିଲା ସେତେବେଳେ ନମିତା ତାକୁ ଟ୍ୟୁସନ୍ କରୁଥିଲେ । ପୁଅ ଏବେ ଭୁବନେଶ୍ୱରରେ ପଢ଼ୁଛି । ସେ ଆମ ପୁଅକୁ ଫୁସୁଲା ଫୁସିଲି କରି କେଉଁ ଆଡେ ନେଇ ଯାଇଛି । ଆମେ ଯଦି ପୁଅକୁ ନ ପାଇବୁ ନମିତା ନାଁରେ ଥାନାରେ ଏତଲା ଦେବୁ । ୨୦୨୧ ମସିହାରେ ସେ ଆମ ପୁଅକୁ ୨ ଥର କେଉଁ ଆଡେ ନେଇ ଯାଇଥିଲା । ଅନ୍ୟପକ୍ଷରେ ଏୟାରପୋର୍ଟ ଥାନା ପୁଲିସ୍ ଘଟଣା ବିଷୟରେ କିଛି କହିବାକୁ ମନା କରି ଦେଇଛି । ମହିଳାଙ୍କ ବିରୋଧରେ ପୁଲିସ୍ ମାମଲା (କେସ୍ ନମ୍ବର ୩୯୦)ରୁଜୁ କରି ୩୮୦ ଦଫା (ବାସଗୃହରୁ ଚୋରି) ଲଗାଇ ଘଟଣାର ତଦନ୍ତ କରୁଛି ।





