ନୟାଗଡ଼,(ବାଘୁଆବାର୍ତ୍ତା): ସର୍ବଭାରତୀୟ ଓଡ଼ଗାଁ ଫୁଟବଲ କପର ୪ର୍ଥ ଦିବସ ମ୍ୟାଚରେ ବିଡ଼ାନାସୀ କଟକକୁ ୪–୧ ଗୋଲରେ ପରାସ୍ତ କରି ସାଇ ହାଲ ସୁନାବେଡ଼ା ୪ର୍ଥ ସେମିଫାଇନାଲିଷ୍ଟ ଆଖ୍ୟା ହାସଲ କରିଛି । ଆଜି ପ୍ରଥମାର୍ଦ୍ଧ ଖେଳର ୧୪ ମିନିଟ ସମୟରେ ସାଇ ହାଲ ସୁନାବେଡ଼ା ଜର୍ସି ନମ୍ବର ୯ ଇଲେକ୍ସ ବେନିଆ, ୧୬ ମିନିଟରେ ଜର୍ସି ନମ୍ବର ୧୧ ସୁବାଷ ପୁଜାରୀ, ୨୬ ମିନିଟରେ ଜର୍ସି ନମ୍ବର ୮ ମଧୁଜାନୀ ଲଗାତାର ଭାବରେ ତିନୋଟି ଗୋଲ ସ୍କୋର କରି ବିଡାନାସୀ କଟକ ଦଳ ଉପରେ ଚାପ ସୃଷ୍ଟି କରିଥିଲେ । ଖେଳର ଦ୍ୱିତୀୟାର୍ଦ୍ଧରେ ପ୍ରତିଶୋଧ ପରାୟଣ ହୋଇ ବିଡାନାସୀ କଟକ ଦଳର ଜର୍ସି ନମ୍ବର ୮ ଏସ ସୋକ୍ୟିବ ୨୯ ମିନିଟ ସମୟରେ ପ୍ରତିପକ୍ଷଙ୍କୁ ଗୋଟିଏ ଗୋଲ୍ ଦେଇଥିଲେ ମଧ୍ୟ ୪୩ ମିନିଟ ବେଳକୁ ସାଇ ହାଲ ସୁନାବେଡ଼ାର ଜର୍ସି ନମ୍ବର ୭ ସୁନିଲ ଖିଲୋ ଅନ୍ୟ ଗୋଟିଏ ଗୋଲ୍ ଦେଇ ଦଳକୁ ବରାବର ସ୍ଥିତିରେ ପହଁଚାଇ ଥିଲେ । ଖେଳ ସମାପ୍ତ ହେବା ବେଳକୁ ୪-୧ ଗୋଲରେ ବିଡାନାସୀ କଟକ ପରାଜୟ ବରଣ କରିଥିବା ବେଳେ ସାଇ ହାଲ ସୁନାବେଡ଼ା ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଆଜକୁ ୪ ଦିନ ଧରି ଚାଲିଥିବା ଲିଗ୍ ମ୍ୟାଚ୍ ଗୁଡିକ ଗୁରୁବାର ଦିନ ସରିଥିବା ବେଳେ ପ୍ରତ୍ୟେକ ଦିନ ମ୍ୟାଚ ଗୁଡିକ ସଂଘର୍ଷ ପୂର୍ଣ୍ଣ ରହିଥିଲେ ମଧ୍ୟ ଫଳାଫଳ ଏକତରଫା ରହୁଥିବା ଦେଖାଯାଇଥିଲା । ଆଜିର ଖେଳକୁ ବ୍ରହ୍ମାନନ୍ଦ ଭୋଇ ପରିଚାଳନା କରିଥିବା ବେଳେ ସୁଦୀପ ଦାଶ, ଏସ୍କେ ମୁକିମ୍, ପ୍ରିୟବ୍ରତ ବାହିନୀପତି ଲାଇନରେ ରହି ସହାୟତା କରିଥିଲେ । ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର, ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, ସୁବାସ କଅଁର, ବିରଜାଲକ୍ଷ୍ମୀ ସାହୁ, ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଯୁବନେତା ବିଭୁପ୍ରସାଦ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ମହିଳା ଜନପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଜିର ଶ୍ରେଷ୍ଠ ଖେଳାଳି ପୁରସ୍କାର ସାଇ ହାଲ ସୁନାବେଡ଼ାର ଜର୍ସି ନମ୍ବର ୧୧ ସୁବାଷ ପୂଜାରିଙ୍କୁ ମିଳିଥିବା ବେଳେ ବିରଜାଲକ୍ଷ୍ମୀ ସାହୁଙ୍କ ଦ୍ଵାରା ଏହା ପ୍ରଦାନ କରାଯାଇଥିଲା । ଶୁକ୍ରବାର ଦିନ ପ୍ରଥମ ସେମି ଫାଇନାଲିଷ୍ଟ ସୋନପୁର ୟୁନାଇଟେଡ଼ ଓ ଦ୍ୱିତୀୟ ସେମିଫାଇନାଲିଷ୍ଟ ଗଣ୍ଡରପୁର ୟୁନାଇଟେଡ଼ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।






