ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ସାରା ବିଶ୍ୱକୁ ବିଚଳିତ କରି ଦେଇଥିବା ବେଳେ ସାରା ଭାରତରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏଭଳି ସ୍ଥଳରେ ବାପାଙ୍କ ଶେଷ ସମୟରେ ପୁଅଟିଏ ତା’ଙ୍କୁ ସ୍ୱର୍ଶ କରି ପାରି ନଥିବା ବେଳେ ଭିଡିଓ କଲ୍ରେ ଶେଷ ଦର୍ଶନ କରିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ଭଗବାନ ନାୟକଙ୍କ ଦୀର୍ଘ ଦିନ ହେବ ଶ୍ୱାସ ଓ ଡାଇବେଟିସ୍ ରୋଗରେ ପିଡ଼ିତ ଥିବା ବେଳେ ତାଙ୍କ ଭୂବନେଶ୍ୱରରେ ରଖାଯାଇ ନିୟମିତ ସ୍ୱାସ୍ଥ୍ୟ ଦେଖାରଖା କରାଯାଉଥିଲା । ଗତ ୧୭ ତାରିଖ ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ଜଟିଳ ହୋଇପଡ଼ିବାରୁ ତାଙ୍କୁ ଘରୋଇ ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ସଂମ୍ପର୍କୀୟମାନେ ନେଇଥିଲେ । ମାତ୍ର ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଦର୍ଶାଇ ଘରୋଇ ହସ୍ପିଟାଲରୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଗତକାଲି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଭଗବାନଙ୍କ ପୁଅ ନୃସିଂହ ନାୟକ ବାଙ୍ଗାଲୋରରେ ରହୁଥିବାରୁ ଶେଷ ସମୟରେ ସେ ବାପାଙ୍କୁ ସ୍ୱର୍ଶ କରି ପାରିନଥିବା ବେଳେ ଭିଡିଓ କଲ୍ର ସାହାର ନେଇ ବାପାଙ୍କ ଶେଷ ଦର୍ଶନ କରିଥିବା ଜଣାଯାଇଛି ।






