ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): କରୋନାରୁ ମୁକ୍ତି ପାଇବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ତତ୍ତ୍ୱାବଧାନରେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ପ୍ରତ୍ୟେକ ୱାର୍ଡ ଓ ମୁଖ୍ୟ ଦପ୍ତରଗୁଡିକ ବିଶୋଧନ କରାଯାଉଛି । ନୟାଗଡ଼ ସହରର ମୁଖ୍ୟ ରାସ୍ତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ସପିଂମଲ୍ମାନଙ୍କରେ ବିଶୋଧନ କାର୍ଯ୍ୟ ସରିଥିବାବେଳେ ବିଭିନ୍ନ ବ୍ୟାଙ୍କ, କୋର୍ଟ ଓ ବିଭିନ୍ନ କାର୍ଯ୍ୟାଳୟର ବିଶୋଧନ କାର୍ଯ୍ୟ ଚାଲୁରହିଛି ।

ସୂଚନାନୁସାରେ ନୟାଗଡ଼ ଅଗ୍ନିଶମ ବିଭାଗ ଦ୍ୱାରା ନୟାଗଡ଼ ସହରରେ ଥିବା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ, ୟୁନିୟନ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫ୍ସି ଓ ଆକ୍ସିସ୍ ବ୍ୟାଙ୍କ ଗୁଡିକ ବିଶୋଧନ କରାଯାଇଥିବା ବେଳେ ଜିଲ୍ଲା ଜଜ୍କେର୍ଟ, ପୋଷ୍ଟଅଫିସ୍, ବନବିଭାଗ ଅଫିସ୍, ଜିଲ୍ଲା ଜଜ୍ଙ୍କ ବାସଗୃହ, ପରିବା ମାର୍କେଟ୍, ମାଛ ମାର୍କେଟ୍ ଓ ଶ୍ରମ ବିଭାଗର କାର୍ଯ୍ୟାଳୟଗୁଡିକ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି ବିଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସହରର ବିଭିନ୍ନ ଗଳିକନ୍ଦି ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକର ବିଶୋଧନ ପ୍ରକ୍ରିୟା ଚାଲୁ ରହିଛି ।









