ବ୍ୟାପକ ସୁନାଅଳଙ୍କାର ଜବତ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ପୁଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣଙ୍କ କେନ୍ଦୁଝର ଜିଲ୍ଲା ଜୋଡ଼ା ଥାନା ଅନ୍ତର୍ଗତ ହନୁମାନହଟିଙ୍ଗ ଅଞ୍ଚଳର ଛାମୁ ମହନ୍ତ । ପୁଲିସ ସୂଚନାନୁସାରେ, ଛାମୁ ବିଗତ ଦିନରେ ଜଣେ ଝିଅ ସହ ନୟାଗଡ଼ ଆସିଥିଲା । ନୟାଗଡ଼ ଆସିବା ପରେ ସେ ଝିଅ ତାକୁ ଛାଡ଼ି କୁଆଡ଼େ ଚାଲି ଯାଇଥିଲା । ଏହି ସମୟରେ ତା ପାଖରେ ଥିବା ଟଙ୍କା ଓ ମୋବାଇଲ ଚୋରୀ ହୋଇଯାଇଥିଲା । ଫଳରେ ସେ ପୁଣି କେନ୍ଦ୍ରଝର ଫେରିବା ପାଇଁ ଚୋରୀ କରିଥିଲା । ଚୋରୀ କରିବାରେ ସେ ସଫଳ ହେବା ପରେ ବହୁ ବାର ନୟାଗଡ଼ ଆସି ବିଭିନ୍ନ ଲୋକଙ୍କ ଘରେ କଳାକନା ବୁଲାଇଥିବା ଆଜି ନୟାଗଡ଼ ଏସପି ଅଲେଖ ପହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୨୨ ମସିହା ଜୁଲାଇ ୩ ତାରିଖରେ ନୟାଗଡ଼ ସାବିତ୍ରୀ ବିହାରର ଏକ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଡିସେମ୍ବର ୨ ତାରିଖରେ ଦେବୋତ୍ତର କଲୋନୀରୁ ଦୁଇଟି ଚୋରୀ ନେଇ ଅଭିଯୋଗ ହୋଇଛି । ଏହି ଦୁଇଟି ଘଟଣାର ସିସିଟିଭି ଯାଞ୍ଚ ସମୟରେ ପୁଲିସ ଛାମୁ ସମ୍ପର୍କରେ ସୂଚନା ପାଇଥିଲା ।

ଏହାର ଅନୁସନ୍ଧାନ କରାଯାଇ ଛାମୁକୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ମିଳିଥିବା ସୂଚନାନୁସାରେ ବ୍ୟାପକ ସୁନାଅଳଙ୍କାର ଜବତ କରାଯାଇଥିବା ସୂଚନା ମିଳିଛି । ଟାଉନଥାନା ପୁଲିସ ସୁନା ସୁନହାର ୨ଟି, ଶଙ୍କା ୫ ହଳ, ସୁନାମୁଦି ୩ ଟା, ନାକଫୁଲ ୧ଟା, ରୂପା ପାଉଞ୍ଜି ୭ ହଳ, ଗୋଡ଼ ମୁଦି ୩ ହଳ, ରୂପା ଗିନା ୨ଟା ଏବଂ ନଗଦ ୧୦ ହଜାର ୭୧୫ ଟଙ୍କା ଜବତ କରିଛି । ଏହି ସୁନାଅଳଙ୍କାର ଚୋରୀ କରିବା ପରେ ଛାମୁ ବାହାର ରାଜ୍ୟରେ ନେଇ ବିକ୍ରି କରୁଥିବା ସୂଚନା ମିଳିଛି । ପାଗଳ ଭଳି ସେ ସହରରେ ବୁଲାବୁଲି କରୁଥିବା ବେଳେ ଯେଉଁ ଘରେ କୈାଣସି ଲୋକ ନଥିବା ନଜରକୁ ଆସେ ଛାମୁ ସେ ଘରକୁ ଟାର୍ଗେଟ କରିଥାଏ । ଲୁହା ରଡ଼ ସାହାର୍ଯ୍ୟରେ ଘର ଭିତରକୁ ଯାଇ ଚୋରୀ କରିଥିବା ସୂଚନା ମିଳିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷମ ଉମାକାନ୍ତ ମଲ୍ଲିକ, ନୟାଗଡ଼ ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ଏସଆଇ ଧର୍ମେନ୍ଦ୍ର ଶିଆଳ ପ୍ରମୂଖ ଉପସ୍ଥିତ ଥିଲେ ।





