ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ଷ୍ଟେସନ ରୋଡରେ ଥିବା ଗେଷ୍ଟ ହାଉସରୁ ୫୧ କେ.ଜି ୮୦ ଗ୍ରାମର ଗଞ୍ଜେଇ ଜବତ। ଚୋରା ଚାଲାଣକାରୀ ବାପା ପୁଅ ଗିରଫ। ଅଭିଯୁକ୍ତମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ଗ୍ରାମର ଗିରିଶ ଚନ୍ଦ୍ର ମହାକୁଡ଼ (୫୪ ବର୍ଷ) ଏବଂ ଅବିନାଶ ମହାକୁଡ଼ (୨୯ ବର୍ଷ)। ଟାଉନ୍ ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାରିପଦା ଗେଷ୍ଟ ହାଉସରେ ଗଞ୍ଜେଇ ରହିଥିବା ନେଇ ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତିଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଆଇଆଇସିଙ୍କ ତତ୍ତ୍ଵାବଧାନରେ ଏସଆଇ ଅଜିତ କୁମାର ସାହୁ ୨୨ ତାରିଖ ସକାଳ ୫ ଟାରେ ପୋଲିସ୍ ଟିମ୍ ସହ ବାରିପଦା ଗେଷ୍ଟ ହାଉସରେ ଚଢାଉ କରିଥିଲେ। ରୁମ୍ ନମ୍ବର ୨୧୦ରେ ବାପା-ପୁଅ ଦୁଇ ଚୋରା ଚାଲାଣକାରୀ ଓ ଅନ୍ୟ ଦୁଇଜଣ ଉପସ୍ଥିତ ଥିଲେ। ପୋଲିସକୁ ଦେଖି ଓଡି ୦୨ବିଏସ/୧୩୮୭ ନମ୍ୱର୍ ବିଶିଷ୍ଟ କାରରେ ୨ ଜଣ ଖସିଯାଇଥିଲେ। ତେବେ ଅଭିଯୁକ୍ତ ବାପା-ପୁଅଙ୍କୁ ଧରବାରେ ପୋଲିସ ସଫଳ ହୋଇଥିଲା। ଦୁଇ ଅଭିଯୁକ୍ତ ହେଲେ ଗିରିଶ ଚନ୍ଦ୍ର ମହାକୁଡ଼ ଏବଂ ଅବିନାଶ ମହାକୁଡ଼। ଗିରିଶ ମହାକୁଡ଼ ଠାରୁ ଏକ ଧଳାରଙ୍ଗର ଜରିରେ ୪୧ ହଜାର ୩୦୦ ଟଙ୍କା , ୪ ଟି ମୋବାଇଲ ଫୋନ୍ ଜବତ କରିବା ସହ ୨୫ କେଜି ୪୬୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ଅବିନାଶ ମହାକୁଡ଼ଙ୍କ ଠାରୁ ୨ଟି ମୋବାଇଲ ଫୋନ୍ ସହ ୨୫ କେଜି ୬୧୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ବାରିପଦା ଟାଉନ୍ ଥାନାରେ କେସ ନଂ ୯୯୧ ମାମଲା ରୁଜୁ ହୋଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।





