ସଚେତନତା ଉଦ୍ଦେଶ୍ୟରେ ଶୋଭାଯାତ୍ରା
ନୟାଗଡ଼,(ବାଘୁଆବାର୍ତ୍ତା): ଭାରତ ସରକାରଙ୍କ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ୧୭ ବର୍ଷରୁ ୧୮ବର୍ଷ ବୟସର ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଏବଂ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭ ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଡେପୁଟୀ କଲେକ୍ଟର ନିର୍ବାଚନ ଶୁଭସ୍ନିଗ୍ଧା ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମ ଚରଣ ସାହୁ, ଉପଜିଲ୍ଲାପାଳ ଓ ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଦେଇଥିଲେ । ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଭୋଟର ତାଲିକାରେ ନୂତନ ଭୋଟର ପଞ୍ଜିକରଣ ଏବଂ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଅବସରରେ ଏକ ବୈଠକ ଉପଜିଲ୍ଲାପାଳ ଅଧ୍ୟକ୍ଷତାରେ ତାଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୂତନ ପଞ୍ଜିକରଣ ନିମନ୍ତେ ଫର୍ମ-୬, ଭୋଟରଙ୍କୁ ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ-୬(ଖ), ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ-୭, ତାଲିକାରେ ତଥ୍ୟ ସଂଶୋଧନ ନିମନ୍ତେ ଫର୍ମ-୮ରେ ଦରଖାସ୍ତ କରାଯିବ । ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧, ୨୦୨୩ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ବର୍ଷ ହୋଇଥିବ ସେମାନେ ଅଗ୍ରୀମ ପଞ୍ଜିକରଣ କରିପାରିବେ । ଏହି କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ବାଦ୍ ବିଏଲଓମାନେ ଏହି ପଞ୍ଜିକରଣ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପେନ୍ ପାଇଁ ୪ ଦିନ ରଖାଯାଇଛି । ସେଗୁଡ଼ିକ ହେଲା ନଭେମ୍ବର ୧୨, ୧୩, ୨୬ ଏବଂ ୨୭ ତାରିଖ ।






