ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍ ଡାଉନ୍ ସମୟରେ କୃଷି ଓ କୃଷକ ଯେପରି ଅବହେଳିତ ନହେବେ ସେଥିନେଇ ଗୁରୁତ୍ୱ ଦେଇଛନ୍ତୁି ଜିଲ୍ଲାପାଳ । କୃଷକର ଉପାର୍ଜ୍ଜିତ ଦ୍ରବ୍ୟକୁ ସୁବିଧାରେ ବଜାର ଆଣିବା ଏବଂ ଗୋଦାମରେ ସୁବିଧାରେ ବିକ୍ରି କରିବା ନେଇ ଆଜି ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ସଦରମହକୁମାରେ ଥିବା ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ମଧ୍ୟାହ୍ନ ୧୨ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପରିବା ଗୋଦାମ ହୋଲସେଲର ଏବଂ ଆର.ଏମ.ସି.ର କର୍ମକର୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚାଷୀମାନେ କିପରି ପନିପରିବା ସୁବିଧାରେ ବିକ୍ରୟ କରିପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ନୟାଗଡ଼, ଇଟାମାଟି, ସୁନାଖଳା, ରଣପୁର ଓ ଓଡ଼ଗାଁରେ ଥିବା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ପୂର୍ବଦିନ ସନ୍ଧ୍ୟା ୫ଘଟିକା ଠାରୁ ରାତ୍ର ୮ଘଟିକା ମଧ୍ୟରେ ଚାଷୀମାନେ ପନିପରିବା ଆଣି ପହଁଚାଇବେ । ପରଦିନ ସକାଳ ୫ଘଟିକା ଠାରୁ ୮ଘଟିକା ମଧ୍ୟରେ ଖୁଚୁରା ବ୍ୟବସାୟୀମାନେ ଆର.ଏମ.ସି. ପ୍ରାଙ୍ଗଣରୁ ବିକ୍ରୟ ପାଇଁ ପନିପରିବା ନେଇପାରିବେ । ସମସ୍ତ ପଂଜିକୃତ ବ୍ୟବସାୟୀମାନଙ୍କୁ ପାସ୍ ଯୋଗାଇ ଦିଆଯିବ । ଗାଡ଼ିର ଚଳାଚଳରେ ବାଧା ନ ଉପୁଜିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବ୍ୟବସ୍ଥା କରିବେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିଓାକର, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଜିଲ୍ଲା କୃଷି ଅଧିକାରୀ ଏବଂ ଉଦ୍ୟାନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।






