ନୀଳଗିରି, (ବାଘୁଆବାର୍ତ୍ତା): ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇ ଗୁରୁତର। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଜୁରିଆପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏଭଳି ହୋଇଥିବା ଜଣାପଡ଼ିଛି। ନୀଳଗିରି ଥାନା ଅଧିନ ଜୁରିଆପାଟଣା ଗାଁର ଦାମୋଧର ମଲ୍ଲିକଙ୍କ ମଝିଆଁ ପୁଅ ଅଞ୍ଜନ ଘର ନିର୍ମାଣ ପାଇଁ ଗତକାଲି ଗ୍ରେଡବିମ୍ ପକାଇଥିଲେ। ଆଜି ତାଙ୍କ ବଡ଼ଭାଇ ରଞ୍ଜନ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ନିର୍ମାଣ କାମକୁ ବିରୋଧ କରି ଘର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରଞ୍ଜନ ତାଙ୍କୁ ମାଡ଼ ମାରିଥିଲା। ଏହା ଦେଖି ସାନଭାଇ ପ୍ରଭାତ ସେମାନଙ୍କ କଳି ଝଗଡ଼ା ଛଡ଼ାଇବାକୁ ଚେଷ୍ଟା କରିବାରୁ ରଞ୍ଜନଙ୍କ ପରିବାର ଆକ୍ରମଣ କରିଥିଲେ। ଏହି ସମୟରେ ରଞ୍ଜନ ଏକ ଛୁରୀରେ ସାନ ଭାଇ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ। ଫଳରେ ପ୍ରଭାତ ଗୁରୁତର ହୋଇଥିଲେ। ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





