କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ପ୍ରଦୀପ ମଲ୍ଲିକ। ସେ ପାଟକୁରା ଥାନା ଅନ୍ତର୍ଗତ ବାରୁଣା ଗାଁର ବାସିନ୍ଦା । ପ୍ରଦୀପକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଅଦାଲତ କହିଛନ୍ତି। ଖବର ଅନୁସାରେ, ପ୍ରଦୀପ ତାଙ୍କ ସ୍ତ୍ରୀ ମାନସୀ ମଲ୍ଲିକଙ୍କୁ ୨୦୧୬ ମେ ୧୮ରେ ତାଙ୍କ ଶ୍ୱଶୁର ଘର ଗାଁରେ ଚାଷ ଜମିରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମାନସୀଙ୍କ ମୃତ୍ୟୁ ହୋଇଥିଲା । ମାନସୀଙ୍କ ଭାଉଜ କବିତା ମଲ୍ଲିକଙ୍କ ଅଭିଯୋଗ ଅନୁସାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ଅଦାଲତ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ପ୍ରଦୀପକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।





