ଦେବଗଡ଼, (ବାଘୁଆବାର୍ତ୍ତା): ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା ଅପହରଣକାରୀକୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳରୁ ଗିରଫ କରାଯାଇଛି । ଗିରଫ ଅପହରଣକାରୀ ମୁର୍ସିଦାବାଦ ଅଞ୍ଚଳର ଫକିରୁଦ୍ଦିନ ଶେଖଙ୍କ ପୁଅ ସାହିଦୁଲ ଶେଖ(୨୧) । ସାହିଦୁଲ ଦେବଗଡ ସହରରେ ରହି ରାଜ ମିସ୍ତ୍ରୀ କାର୍ୟ୍ୟ କରୁଥିବା ବେଳେ ଚଳିତ ମାସ ୧୭ ତାରିଖରେ ସ୍ଥାନୀୟ ଆରସିଏମଏସ ସାହିର ଜଣେ ୧୩ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ କରି ପଶ୍ଚିମବଙ୍ଗ ପଳାଇ ଯାଇଥିଲା । ନାବାଳିକାର ପରିବାର ଲୋକେ ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଏସଆଇ ରୁଦ୍ର ନାରାୟଣ ପ୍ରଧାନଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଅଭିଯୁକ୍ତ ସାହିଦୁଲର ମୋବାଇଲ ଟ୍ରାକ କରି ତାର ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପଶ୍ଚିମବଙ୍ଗ ରାଜ୍ୟରୁ ଆସୁଥିବା ରାଜମିସ୍ତ୍ରୀ ଓ ଶ୍ରମିକଙ୍କ ବିରୋଧରେ ଉତ୍ତେଜନା ପ୍ରକାଶ ପାଇଥିଲା ।





