କ୍ରୀଡା ଛାତ୍ରାବାସ ଦ୍ୱିତୀୟ ମହଲା ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କ୍ରୀଡ଼ା ଛାତ୍ରାବାସ ଉପର ମହଲା ଗୃହ ନିର୍ମାଣ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ବ ନେଇଥିବା ବେଳେ ଏଥିପାଇଁ ୧ କୋଟି ୨୭ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ୯ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ ବୋଲି ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଲ୍ୟାନ୍ୟସ କରିଥିଲେ। ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ଗୁରୁତ୍ଵ ଦେଇ ଓଡ଼ିଶାକୁ କ୍ରୀଡାର ହବରେ ପରିଣତ କରିଥିବା ଉପାଧକ୍ଷ କହିଥିଲେ। ଏହି ଛାତ୍ରାବାସ ଦ୍ଵାରା ୩୦ ଜଣ ଫୁଟବଲ୍ ଖେଳାଳୀ ଉପକୃତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। କ୍ରୀଡା କ୍ଷେତ୍ରର ବିକାଶ କରି ମୁଖ୍ୟମନ୍ତ୍ରୀ ଇତିହାସ ସୃଷ୍ଟି କରିଛନ୍ତି ବୋଲି ନୟାଗଡ଼ ବିଧାୟକ କହିଥିଲେ। ଓଡ଼ିଶା ବହୁତ ଆଗକୁ ଯାଇଛି। ବିଶ୍ବର ହକି ଷ୍ଟାଡିୟମ୍ ରାଉରକେଲାରେ ନିର୍ମାଣ ହେଉଛି। ହକିର ଦୂରବସ୍ଥା ସମୟରେ ମୁଖ୍ୟମନ୍ତ୍ରଙ୍କ ନେତୃତ୍ୱରେ ହକି ପାଇଁ ସ୍ପନସର୍ ସିପ ଦିଆଗଲା। ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଦ୍ୟମ ଚାଲିଛି ବୋଲି ଡ. ସାହୁ କହିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଓ ଯନ୍ତ୍ରୀ କିଶୋର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।







