ନୀଳଗିରି, (ବାଘୁଆବାର୍ତ୍ତା): ଛେଳି ଓ ମୋବାଇଲ୍ ଚୋରି କରି ଫେରିବା ବେଳେ ଛେଚା ଖାଇଲେ ୩ ଯୁବକ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗୁରୁବାର ମଧ୍ୟରାତ୍ରୀରେ ଉଦଳା ଆଡୁ ଏକ ବଲେରୋ ଗାଡ଼ିରେ ୫ ଜଣ ଯୁବକ ଛେଳି ଚୋରି କରି ଆସୁଥିଲେ। ଏହି ସମୟରେ ସଜନାଗଡ଼ ଭାଲୁକାଶୁଣି ଜଙ୍ଗଲରେ ଏକ ଦମ୍ପତି ବାଇକ ଯୋଗେ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତମାନେ ଅଟକାଇ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଛଡାଇ ଆଣିଥିଲେ। ଏହି ସମୟରେ ଅନ୍ୟ ଏକ ଗାଡିରେ କିଛି ସ୍ଥାନୀୟ ଲୋକ ଆସିବାରୁ ମହିଳା ଜଣକ ସବୁ କଥା କହିଥିଲେ। ଏହାପରେ ସେ ଫୋନ କରିଦେବାରୁ ଘାଟଘରସାହିରେ ଅଞ୍ଚଳବାସୀ ବଲୋରେ ଗାଡି ସହ ଦୁର୍ବୃତ୍ତମାନଙ୍କୁ ଅଟକାଇ ଥିଲେ। ତେବେ ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକ ଖସି ଯାଇଥିବା ବେଳେ ୩ ଜଣଙ୍କୁ ଗ୍ରାମବାସୀ ଅଟକ ରଖି ଏକ ଖୁଣ୍ଟିରେ ବାନ୍ଧି ନିର୍ଧୁମ ଛେଚିଥିଲେ। ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଚୋରଙ୍କୁ ଉଦ୍ଧାର କରି ଗାଡିଟିକୁ ଜବତ କରିଛନ୍ତି। ଆଜି ଗିରଫ ଚୋରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।





