ଫୁଲବାଣୀ, (ବାଘୁଆବାର୍ତ୍ତା): ଗତ ୧୧ ତାରିଖ ଦିନ ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କ ମୃତଦେହକୁ ଆଜି ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ମୃତକାଙ୍କ ପରିଚୟ ପୁଲିସର ହସ୍ତଗତ ହୋଇପାରି ନାହିଁ। ଏସଓଜି ଏବଂ ଡିଭିଏଫ ବାହିନୀ ପକ୍ଷରୁ ସଂପୃକ୍ତ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେସନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ । ଜବତ ସାମଗ୍ରୀ ମଧ୍ୟରେ ପୋଷାକ, ଔଷଧ, ବାସନକୁସନ ସହ ବିଭିନ୍ନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ରହିଛି। ଏସବୁ ଜିନିଷ ଘଟଣାସ୍ଥଳରୁ କିଛି ଦୂରରେ ରଖାଯାଇଥିଲା। ସୂଚନାଯୋଗ୍ୟ, ଏହି ସ୍ଥାନରେ ମାଓବାଦୀ ରହିଥିବା ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ଗତ ୯ ତାରିଖ ଦିନ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ମାଓ-ପୁଲିସ ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସଂପୃକ୍ତ ମାଓବାଦୀ ଜଣକ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳି ପାରିନାହିଁ। ଏଠାରେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରୁଥିବା ବେଳେ ଡିସିଏମ ମମତା ଏହି ଦଳର ନେତୃତ୍ୱ ନେଉଥିବା ଏସପି ସୂଚନା ଦେଇଛନ୍ତି। ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ରହିଛି । ଇତି ମଧ୍ୟରେ ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ମୃତ ମହିଳା ମାଓବାଦୀଙ୍କ ଶବକୁ ପୁଲିସ ପକ୍ଷରୁ ପୋତି ଦିଆଯାଇଛି। ସଂପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଥିବା ଏସପି ଅଗ୍ରୱାଲ ପ୍ରକାଶ କରିଛନ୍ତି।





