ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍କୁ ସଫଳତା। ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ କରିଛି। ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣ ମାଫିଆଙ୍କୁ ଗିରଫ କରିଛି। କଲରାପତରିଆ ବାଘ ଛାଲ ବିକ୍ରି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମାଳଧୀ ଛକରେ ଚାଲିଥିଲା ଡିଲ୍। ସେହି ସମୟରେ ଏସ୍ଟିଏଫ୍ ଟିମ୍ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ ସହାୟତାରେ ସେଠାରେ କରିଥିଲା ଚଢ଼ାଉ। ପୂର୍ବ ସୂଚନା ଆଧାରରେ ଏସ୍ଟିଏଫ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ମିଳିତ ଟିମ୍। ଗିରଫ ଅଭିଯୁକ୍ତମାନେ ହେଲେ ସୁମିତ କୁମାର, କୃପା ସାହୁ ଓ ଆଦିତ୍ୟ ପାତ୍ର । ଏସ୍ଟିଏଫ୍ ଏହି ଘଟଣାରେ ଏବେ ଅଧିକ ଖୋଳତାଡ଼ କରୁଛି। ଏହି ରାକେଟର ନେଟୱର୍କ କେତେ ଦୂର ଲମ୍ବିଛି, ଆଗରୁ କେତେ ଥର ସେମାନେ ବାଘଛାଲ ବିକ୍ରି କରିଛନ୍ତି- ଏସବୁର ତଦନ୍ତ କରୁଛି ଏସ୍ଟିଏଫ୍।





