ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ଵଲପୁରରେ ଖାକିରେ କଳଙ୍କ। ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ। ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଡ୍ରାଇଭରମାନେ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ଟିମ୍ ଟ୍ରାଫିକ ଚେକିଂ କରୁଥିଲେ। ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ ଏକ ଗାଡି ସମ୍ବଲପୁର ଓଏସବିସି ମଦ ଡିପୋକୁ ଆସୁଥିଲା। କାଗଜପତ୍ର ବି ସବୁଠିକ ଥିଲା। ତଥାପି ୫ ହଜାର ଟଙ୍କା ମାଗିଥିଲା ପୁଲିସ। ଡ୍ରାଇଭର୍ଙ୍କ ନିକଟରେ ୪ ହଜାର ଟଙ୍କା ଥିବା ବେଳେ ସେ ଏଏସଆଇ ଭିକାରୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ହେଲେ ଭିକାରୀ ଡ୍ରାଇଭରଙ୍କ ପକେଟରେ ହାତ ପୁରାଇ ବାକି ୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡି ଡ୍ରାଇଭର ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଲେକ୍ସନ ଟଙ୍କା ଟ୍ରାଫିକ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ୍ ଡିଏସପି ପର୍ୟ୍ୟନ୍ତ ଯାଉଥିବା ଅଭିଯୋଗ ହୋଇଛି।





