ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ନୌ ସେନା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଘଟଣାରେ ନୂଆ ମୋଡ଼ ଆସିଛି । ପ୍ରାୟ ସମସ୍ତ ଠକେଇ ଘଟଣା ଅଇଁଠାପାଲି ଥାନାଞ୍ଚଳରେ ହୋଇଥିବାରୁ ଏହି ମାମଲାକୁ ଅଇଁଠାପାଲି ଥାନାକୁ ସ୍ଥାନାନ୍ତର କରି ଦିଆଯାଇଛି । ଅଭିଯୁକ୍ତ ବିପ୍ଳବ ପ୍ରଧାନକୁ କେବଳ ପୁଲିସ୍ ଅଟକ ରଖିଥିବା ବେଳେ ଯୁବତୀଙ୍କୁ ଛାଡ଼ି ଦେଇଛି । ଯୁବତୀଙ୍କ ବିରୋଧରେ କୌଣସି ଏତଲାରେ ବି ଅଭିଯୋଗ ହୋଇନଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି । ଅଇଁଠାପାଲି ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ସେପଟେ, ଦୋକାନଗୁଡ଼ିକରେ ଏହି ଯୁବକ-ଯୁବତୀ ଦ୍ୱୟ କରିଥିବା ଠକେଇ ଘଟଣାର ସିସିଟିଭି ଫୁଟେଜ ସଂଗ୍ରହ କରୁଛି ପୁଲିସ୍ । ଅନ୍ୟପକ୍ଷରେ ବିପ୍ଳବ ଗିରଫ ପରେ ଗୋଟିଏ ପରେ ଗୋଟିଏ ଲୋକ ଆସି ତାହା ବିରୋଧରେ ଥାନାରେ ଏତଲା ଦେବା ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବିପ୍ଳବ ପ୍ରଧାନ ଓ ଯୁବତୀଙ୍କ ଅଭିଭାବକ ଆଜି ଅଇଁଠାପାଲି ଥାନାରେ ପହଞ୍ଚିବା ପରେ ମାମଲା ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଏପରିକି ଠକେଇର ଶିକାର ସମସ୍ତ ଲୋକଙ୍କୁ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ଏତଲା ନଦେବାକୁ ମଧ୍ୟ ବିପ୍ଳବର ବାପା ଅନୁରୋଧ କରିଥିବା ଜଣାପଡ଼ିଛି । ଠକେଇର ପରିମାଣ ବି ବେଶ୍ କମ୍ ହୋଇଥିବାରୁ ଟଙ୍କା ନେଇ ଏତଲା ଫେରାଇ ନେବାକୁ ସେମାନେ ଅନୁରୋଧ କରିଥିଲେ । ସେପଟେ, ଅଭିଯୁକ୍ତ ବିପ୍ଳବ ପାଖରୁ ଜବତ ଜିଏସ୍ଟି ଡେପୁଟି କମିସନରଙ୍କ ପରିଚୟ ପତ୍ରଟି ଚୋରି କରି ଅଣାଯାଇଥିବା ଜଣାପଡ଼ିବା ପରେ ଏନେଇ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ାରେ ଏତଲା ଦିଆଯାଇଛି । ସେପଟେ, ଜବତ ନୌ ସେନା ଅଧିକାରୀ ପ୍ରମାଣପତ୍ରର ଯାଞ୍ଚ ବେଳେ ବି ତାହା ସମ୍ପୂର୍ଣ୍ଣ ନକଲି ବୋଲି ପୁଲିସ୍ ଜାଣିବାକୁ ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ବିପ୍ଳବ ଓ ଏହି ଯୁବତୀ ଗତ କେଇ ମାସ ଧରି ସମ୍ବଲପୁରର ବିଭିନ୍ନ ଦୋକାନରେ ନିୟମିତ ଠକେଇ କରି ଆସୁଥିଲେ । କିନ୍ତୁ ସବୁ ଘଟଣାରେ ଯୁବତୀ ବାହାରେ ରହୁଥିବା ବେଳେ ବିପ୍ଳବ ଭିତରକୁ ଯାଇ ଠକାମୀ କରୁଥିଲା । ତେଣୁ ଯୁବତୀ ବିରୋଧରେ କୌଣସି ସିସିଟିଭିରେ ବି ଫୁଟେଜ୍ ନଥିବା କୁହାଯାଉଛି ।





