ମନମୁଣ୍ଡା, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲାରୁ ଗଞ୍ଜାଇ କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ତଥା ସମୂଳେ ନାଶ କରିବାକୁ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ସମସ୍ତ ଥାନାକୁ କଡା ନିର୍ଦେଶ ଦେଇଥିବାବେଳେ ମନମୁଣ୍ଡା ପୁଲିସ ପୂର୍ବାପେକ୍ଷା ତତ୍ପରତା ଦେଖାଇ ପେଟ୍ରୋଲିଂକୁ କଡାକଡ଼ି କରିଦେଇଛି। ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଅଶ୍ବିନୀ କୁମାର ଭିତିରିଆଙ୍କ ନିର୍ଦେଶକ୍ରମେ ଆଜି ସକାଳ ସମୟରେ ଥାନାର ବରିଷ୍ଠ ତଥା ଅଭିଜ୍ଞ ଏସ ଆଇ ଜ୍ଞାନେନ୍ଦ୍ର କୁମାର ମିଶ୍ର , ଏ ଏସ ଆଇ ପ୍ରାଣବନ୍ଧୁ ସାହୁ ଓ ପୁଲିସ ଫୋର୍ସ ସହ ମନମୁଣ୍ଡାରୁ ଶଗଡା ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଏକ ସ୍ୱିପଟ କାର ନଂ ଓ ଡି ୧୫ପି ୮୬୧୪ ଶଗଡା ଦିଗରୁ ଦ୍ରୁତ ଗତିରେ ମନମୁଣ୍ଡା ଆଡକୁ ଆସୁଥିଲାବେଳେ ସନ୍ଦେହ କରି ପୁଲିସ ତାକୁ ଗୋଡ଼ାଇ ବିଳାଶପୁର ମେହେରୁଣୀ ପୋଲ ନିକଟରେ ଅଟକାଇ ତନଖି କରିଥିଲା ଓ ସେଥିରୁ ଏକ ଜରି ବସ୍ତାରେ ଗଞ୍ଜାଇ ଥିବା ଦେଖି କାର ସହ ଜବତ କରିଥିଲା। କାର ଭିତରେ ଥିବା ତଥା ଗଞ୍ଜାଇ ଚୋରାଚାଲାଣ କରୁଥିବା ୫ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ମାନେ ଛତିଶଗଡ଼ ରାଜ୍ୟ ରାଇଘର ଜିଲ୍ଲା ଲାଇଲୁଙ୍ଗ ଥାନା କାଟଘୋରା ଗ୍ରାମର ମୁରଲୀଧର ଯାଦବ (୨୬), ନନ୍ଦଲାଲ ଯାଦବ (୩୧), ତୁରେଶ୍ୱର ଯାଦବ (୨୩), ଏବଂ ଶିହାଧର ଗ୍ରାମର ଦଶରଥ ଯାଦବ (୧୯) ଓ ରୁପୁନ ଯାଦବ (୧୯) ବୋଲି ତଦନ୍ତ ଅଧିକାରୀ ଏସ ଆଇ ଜ୍ଞାନେନ୍ଦ୍ର ମିଶ୍ରଙ୍କ ଠାରୁ ଜାଣିବାକୁ ମିଳିଛି। ଏନେଇ ଥାନାରେ ଏନଡିପିଏସରେ ଏକ ମାମଲା ନଂ ୨୦୪ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଗଞ୍ଜାଇ ସେମାନଙ୍କ ରାଜ୍ୟ ଛତିଶଗଡ଼କୁ ନେଉଥିବା ଜାଣିବାକୁ ମିଳିଛି। ଜବତ ଗଞ୍ଜାଇ ୨୪ କେଜି ବୋଲି ଆଇଆଇସି ଭିତିରିଆଙ୍କ ଠାରୁ ଜାଣିବାକୁ ମିଳିଛି ।





