ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଚୋରଙ୍କ ଟାର୍ଗେଟରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ। ପିଲାଙ୍କ ଖେଳନା କିଟ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଅଙ୍ଗନବାଡ଼ିର ୧ ଓ ୨ ନମ୍ଵର କେନ୍ଦ୍ର, ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଶୁଣ୍ଡିପଲ୍ଲୀ ଅଙ୍ଗନବାଡ଼ିର କର୍ମୀ ଏବଂ ସ୍ଥାନୀୟ ଲୋକ ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ପରେ ଅଙ୍ଗନବାଡି କେନ୍ଦ୍ର ଭିତରେ ଦେଖିବା ବେଳକୁ ୧ ନମ୍ଵର କେନ୍ଦ୍ରରୁ ପାଣି ପମ୍ପ, ଆକୁଆଗାର୍ଡ, ପିଲାଙ୍କ ଖେଳନା କୀଟ୍ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ଏସଆଇ ବଳଭଦ୍ର ଗଣ୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ବୃତ୍ତମାନେ ୨ ନମ୍ଵର କେନ୍ଦ୍ର ଏବଂ ବିଦ୍ୟାଳୟର ତାଲା ଭଙ୍ଗିଥିବା ବେଳେ ଚୋରି କରିବାରେ ସକ୍ଷମ ହୋଇ ପାରିନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଅଙ୍ଗନବାଡ଼ି ୧ ର କର୍ମୀ ମଞ୍ଜୁଳା ଭୂୟାଁ ଥାନା ଲିଖିତ ଅଭିଯୋଗ କରିଛନ୍ତି।





