ପୋଲସରା, (ବାଘୁଆବାର୍ତ୍ତା): ଘର ଆଗରେ ବାଣଫୁଟାକୁ କେନ୍ଦ୍ର କରି ବଚସା ହେବା ପରେ ସଂଘବଦ୍ଧ ଆକ୍ରମଣ କରିବା ଯୋଗୁଁ ଆଜି ପୋଲସରା ଥାନା ପୋଲିସ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଥାନାର ଏସଆଇ ଅଜୟ କୁମାର ମଳିକ ଦେଇଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବେ କିଛି ଯୁବକ ସ୍ଥାନୀୟ ମଠ ସାହିର ଅଚ୍ୟୁତ ପ୍ରଧାନଙ୍କ ଘର ଆଗରେ ବାଣ ଫୁଟାଇଥିଲେ। ଫଳରେ ଅଚ୍ୟୁତ ସେମାନଙ୍କୁ ମନା କରିଥିଲେ। ଏଥିପାଇଁ ସମ୍ପୃକ୍ତ ଯୁବକ ଓ ଅଚ୍ୟୁତ ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ରବିବାର ଦିନ ଅଚ୍ୟୁତ ନିଜ ଘର ବାରଣ୍ଡାରେ ବସିଥିବାବେଳେ ସମ୍ପୃକ୍ତ ଯୁବକମାନେ ଅଚ୍ୟୁତ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପ୍ରତିବାଦ କରିବାରୁ ଆକ୍ରମଣକାରୀ ଅଚ୍ୟୁତ ପ୍ରଧାନଙ୍କ ସ୍ତ୍ରୀ ଭାଗ୍ୟ ପ୍ରଧାନ, ମା ଭାସି ପ୍ରଧାନ ଓ ଭାଇ ସଂଜୟ ପ୍ରଧାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିପାଇଁ ଅଚ୍ୟୁତଙ୍କ ସ୍ତ୍ରୀ ଭାଗ୍ୟ ପ୍ରଧାନ ପୋଲସରା ଥାନାରେ ଏତଲା ଦେଇଥିଲେ। ଭାଗ୍ୟ ପ୍ରଧାନଙ୍କ ଏତଲାକୁ ଆଧାର କରି ପୋଲିସ ମୋକଦ୍ଦମା ରୁଜ୍ଜୁ କରିବା ସହିତ ଆଜି ଅଭିଯୁକ୍ତ ବିଦୁ ଡାଙ୍ଗୁଆ, ସୁନିଳ ଖଟୁଆ, ଶିବ ପ୍ରଧାନ, ଭୋଳା ପ୍ରଧାନ, ବାବୁ ଦଳେଇ, ହିନ ଖଟେଇ, ନାଗେଶ୍ବର ଓ ପବନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।





