ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରେଘାମୁଣ୍ଡାଠାରେ ଗତ ୬ ତାରିଖରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା। ଏହି ଘଟଣାରେ କଣ୍ଟାମାଳ ପୁଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କଣ୍ଟାମାଳ ଥାନା ସିଲେଟପଡା ଗ୍ରାମର ରଶାନ୍ତ ରଣା (୨୧) ଓ ସୋନପୁର ଜିଲ୍ଲା ତରଭା ଥାନା କମସରା ଗ୍ରାମର ପ୍ରେମା ନନ୍ଦ ନାଗ (୨୮) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଗତ ୬ ତାରିଖ ଦିନ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ କିସ୍ତି ଆଦାୟ କରି ଫେରୁଥିବା ସମୟରେ ରେଘାମୁଣ୍ଡା ପାଣିଟାଙ୍କି ନିକଟରେ ଦୁର୍ବୃତ୍ତମାନେ ଆକ୍ରମଣ କରି ସେମାନଙ୍କ ନିକଟରୁ ୭୧,୪୭୩ ଟଙ୍କା, ୨ ଟି ମୋବାଇଲ ଓ କାଗଜପତ୍ର ଛଡାଇ ନେଇ ପଳାଇଥିଲେ । ଏନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହେବାପରେ କଣ୍ଟାମାଳ ପୁଲିସ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ କଣ୍ଟାମାଳ ଥାନାର ସିଲେଟପଡା ଗ୍ରାମର ରଶାନ୍ତ ରଣା ଓ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କମିସରା ଗ୍ରାମର ପ୍ରେମାନନ୍ଦ ନାଗ ସନ୍ଦେହ ଘେରକୁ ଆସିଥିଲେ । ପୁଲିସ ସେମାନଙ୍କୁ ଜେରା କରିବା ସମୟ ସେମାନେ ଦୋଷ ସ୍ଵୀକାର କରିଥିଲେ। ସେମାନେ ବ୍ୟବହାର କରିଥିବା ମଟର ସାଇକେଲ, ୨ ଟି ବାଉଁଶ ବାଡି, ମୁଖା ଭାବରେ ବ୍ୟବହାର କରିଥିବା କଳା ରଙ୍ଗର କପଡା ତାଙ୍କ ନିକଟରୁ ଜବତ କରାଯାଇଥିଲା । ସେମାନେ ସୋନପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାର ରାହାଜାନି କେସରେ ଲିପ୍ତ ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି ।





