ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍ ବିଶ୍ୱକପ ବିଗୁଲ୍ । ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଏଥିଲାଗି ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ । ମୋରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ପରେ ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ । ଏଥିଲାଗି ଷ୍ଟାଡିୟମ୍ ଓ ଖେଳାଳି ସମସ୍ତେ ପ୍ରସ୍ତୁତ୍ । ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଦେଖିବାକୁ ମିଳୁଛି ଫୁଟବଲ ଫିଭର । ଷ୍ଟାଡିୟମରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପନ୍ନ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍ରେ ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ଗୁଡ଼ିକୁ ନୂଆ ରୂପ ଦିଆଯାଇଛି । ବ୍ରାଜିଲ ଓ ମରୋକୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ । ଅଣ୍ଡର ସେଭେଣ୍ଟିନ୍ ଫିଫା ମହିଳା ବିଶ୍ୱକପ୍ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି। ଏଥିନିମନ୍ତେ ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ମାନସିକ ଓ ଶାରୀରିକ ଭାବେ ଆମେ ଶକ୍ତ ଅଛୁ । ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବୁ ବୋଲି ମହିଳା ଟିମ୍ ଅଧିନାୟକ କହିଛନ୍ତି । ଭୁବନେଶ୍ବର, ଗୋଆ ଏବଂ ନଭି ମୁମ୍ବାଇ ଭଳି ୩ଟି ଭେନ୍ୟୁରେ ଖେଳାଯିବ ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ୍ । ଆଜିଠୁ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଆସନ୍ତା ୩୦ରେ ହେବ ଫାଇନାଲ୍ ଫାଇଟ୍ । ଫୁଟବଲ୍ ବିଶ୍ୱକପରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ ସମେତ ମରକ୍କୋ, ବ୍ରାଜିଲ୍, ଆମେରିକା, ନାଇଜେରିଆ ଓ ଚିଲ୍ଲି ଟିମ୍ଙ୍କର କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ରହିଛି । ଏ ନେଇ ସମସ୍ତ ଦଳ କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଦର୍ଶକମାନେ ମ୍ୟାଚ୍କୁ ନେଇ ଉତ୍କଣ୍ଠାରେ ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଫିଫା ଫୁଟବଲ୍ ବିଶ୍ୱକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ୍ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କିଭଳି ଶାନ୍ତି ଶୃଙ୍ଖଳାର ସହ ମ୍ୟାଚ୍ ଆୟୋଜନ ହେବ ସେ ନେଇ କମିଶନରେଟ୍ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପୁଲିସ କମିଶନର କହିଛନ୍ତି ।






