ଯାଜପୁର, (ବାଘୁଆବାର୍ତ୍ତା): ସ୍ବାମୀ ହତ୍ୟାକାରୀ ସ୍ତ୍ରୀକୁ ଗିରଫ କଲା ପୋଲିସ । ପାରିବାରିକ କଳହକୁ କେନ୍ଦ୍ରକରି ପ୍ରଥମେ ପଥରରେ ଛେଚିବା ପରେ ବ୍ଲେଡରେ ଗୁପ୍ତାଙ୍ଗ କାଟି ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ। ଗତ ଶୁକ୍ରବାର ଦିନ ସ୍ବାମୀର ମୃତଦେହ ମିଳିଥିଲା। ଆଜି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିବାରେ ସକ୍ଷମ ହୋଇଛି ସୁକିନ୍ଦା ପୋଲିସ। ହତ୍ୟାକାରୀ ନିଜର ଅପରାଧ ସ୍ବୀକାର କରିବା ସହ ଘଟଣାସ୍ଥଳକୁ ଯାଇ ହତ୍ୟାର ଡେମୋ ଦେଖାଇଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ସୁକିନ୍ଦା ଥାନା ମଙ୍ଗଳପୁର ନିକଟରେ ଜଣେ ଯୁବକଙ୍କ ମୃତ ଶରୀର ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତକ ସ୍ଥାନୀୟ ପୁବଳ ଗ୍ରାମର ରାଜୁ ଚାମ୍ପିଆ ବୋଲି ଜଣାପଡିଥିଲା। ତେବେ ଘଟଣାର ତଦନ୍ତ ସମୟରେ ମୃତକର ସ୍ତ୍ରୀ ଫେରାର ରହିଥିବାରୁ ପୋଲିସର ସନ୍ଦେହ ଉପୁଜିଥିଲା। ତେଣୁ ସୁକିନ୍ଦା ପୋଲିସର ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜୁ ଚାମ୍ପିଆଙ୍କ ସ୍ତ୍ରୀ ବାଲେମା ବଦରାଙ୍କୁ ଆଜି ଗିରଫ କରିଛି । ପ୍ରଥମେ ବାଲେମାଙ୍କୁ ଥାନାରେ ପଚରାଉଚରା ସମୟରେ ସେ ନିଜ ଅପରାଧ ସ୍ବୀକାର କରିଥିଲା। ପରେ ତାଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେ ନିଜ ସ୍ବାମୀକୁ କିପରି ହତ୍ୟା କରିଥିଲା ପୋଲିସକୁ ତାହାର ଡେମୋ ଦେଖାଇଥିଲା ।





