ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଶ୍ଲୀଳ ଭିଡିଓ କଲ୍ ପରେ ଆଇପିଏସ୍ ଅଫିସର ର ପରିଚୟ ଦେଇ ଲୁଟିନେଲା ସାଇବର ଠକ। ଏଥର ଏପରି ଠକାମୀରେ ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ଚଳାଇଛି ପୁଲିସ୍। ଅଭିଯୋଗକାରୀଙ୍କ କହିବା ଅନୁସାରେ ଜଟଣୀ ଅଞ୍ଚଳରେ ଥିବା ଏକ ମେଡ଼ିସିନ୍ ଷ୍ଟୋରରେ ସେଲ୍ସମ୍ୟାନ୍ ଭାବେ ସେ କାମ କରନ୍ତି। ହ୍ୱାଟ୍ସଆପ୍ରେ ତାଙ୍କ ପାଖକୁ ଅନେକ ସମୟରେ ମେସେଜ୍ ଆସିଥିଲା। ହେଲେ ସେହି ମେସେଜ୍ର ସେ କୌଣସି ଉତ୍ତର ଦେଉନଥିଲେ। ଥରେ ରାତିରେ ତାଙ୍କ ପାଖକୁ ଏକ ଭିଡିଓ କଲ୍ ଆସିଥିଲା। ସେହି କଲ୍କୁ ସେ ରିସିଭ୍ କରି ଦେଇଥିଲେ। ଭିଡିଓରେ ଜଣେ ଯୁବତୀ ଉଲ୍ଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ନଙ୍ଗଳା ଭିଡିଓ ଦେଖି ଯୁବକ ଜଣକ କଲ୍ କାଟି ଦେଇଥିଲେ। ଏହା ପରେ ତାଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍। ଜଣେ ବ୍ୟକ୍ତି ନିଜକୁ ଆଇପିଏସ୍ ଅଫିସ୍ର ପରିଚୟ ଦେଇ ଫୋନ୍ କରିଥିଲା। ଆଉ ତାଙ୍କ ପାଖରେ ଥିବା ଅଶ୍ଲୀଳ ଭିଡିଓ ଭାଇରାଲ୍ କରିଦେବାକୁ ଦେଇଥିଲା ଧମକ। ଦେଢ଼ ଲକ୍ଷ ଟଙ୍କା ଦେଲେ ମାମଲା ରଫାଦଫା କରିଦେବି ବୋଲି କହିଥିଲେ। ଯେଉଁଥିପାଇଁ ଯୁବକ ଜଣକ ଡରି ଯାଇଥିଲେ। ଭୟରେ ୩ଟି କିସ୍ତିରେ ୭୧ ହଜାର ଟଙ୍କା ଦେଇଥିଲେ। ଏ ସମସ୍ତ ପଇସା ଅନ୍ଲାଇନ୍ରେ ଟ୍ରାନ୍ସଫର କରିଥିଲେ। ଏହା ପରେ ମଧ୍ୟରେ ତାଙ୍କ ପାଖକୁ ଫୋନ୍ କଲ୍ ଆସୁଥିଲା। ଆହୁରି ଟଙ୍କା ନେବା ପାଇଁ ଚାହୁଁଥିଲା ସାଇବର ଠକ। ଶେଷରେ ଯୁବକ (ଠକାମୀରେ ଶିକାର ହୋଇଥିବା ଯୁବକ) ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି। କେହି ଏଭଳି ବୋକାମୀର ଶିକାର ନହେବାକୁ ଗଣମାଧ୍ୟମ ସମ୍ମୁଖରେ ଠକାମୀରେ ଶିକାର ହୋଇଥିବା ଯୁବକ କହିଛନ୍ତି।





