କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ସ୍ୱାମୀ ଓ ତିନି ସନ୍ତାନ ଥାଇ ମଧ୍ୟ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କରେ ରହିଥିଲେ ମହିଳା ଜଣକ। ସ୍ୱାମୀ ଓ ଶାଶୂଘର ଲୋକଙ୍କ ଅଗୋଚରରେ ପ୍ରେମିକଙ୍କ ସହ ମିଳାମିଶା କରୁଥିଲେ। ତେବେ କୌଣସି କାରଣରୁ ହଠାତ ଦୁହିଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ନିଜ ବିବାହିତା ପ୍ରେମିକାଙ୍କ ୨ବର୍ଷର ପୁଅ ଉପରେ ରାଗ ଶୁଝାଇଥିଲା। ନିଷ୍ପାପ ଶିଶୁପୁତ୍ରକୁ ତଳେ କଚାଡ଼ି ମାରିଦେଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଞ୍ଚାୟତରେ ଏମିତି ଏକ ଅଭାବନୀୟ କାଣ୍ଡ ଘଟିଥିବା ଅଭିଯୋଗ ମିଳିଛି । ବଡ଼ ଭାଇଭଉଣୀଙ୍କ ଆଖି ଆଗରେ ସାନଭାଇର ଜୀବନ ଯାଇଛି । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଓ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚନ୍ଦନନଗର ଗୁପ୍ତିରା ଗାଁ ଲକ୍ଷ୍ମୀଧର ବାଇ(୨୮)ଙ୍କର ଦିହୁଡ଼ିପୁର ଗାଁର ରଶ୍ମିତା (ଛଦ୍ମନାମ)ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରଶ୍ମିତାଙ୍କ ସ୍ୱାମୀ ବିଦେଶରେ ରହୁଥିଲେ ଓ ରଶ୍ମିତା ନିଜ ୩ ପିଲାଙ୍କ ସହ ପଟ୍ଟାମୁଣ୍ଡାଇ ସହରରେ ଘର ଭଡ଼ା ନେଇ ରହୁଥିଲେ। ପିଲାଙ୍କ ପାଠ ପଢ଼ାରେ ସୁବିଧା ହେବ ବୋଲି କହି ଘରଲୋକଙ୍କୁ ସେ ବୁଝାଇ ଦେଇଥିଲେ । ରଶ୍ମିତାଙ୍କର ୨ ପୁଅ ଓ ଗୋଟେ ଝିଅ । ୬ ମାସ ତଳେ ଲକ୍ଷ୍ମୀଧରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠି କ୍ରମେ ନିବିଡ଼ ହୋଇଥିଲା । ରଶ୍ମିତାଙ୍କ ସ୍ୱାମୀ ବାହାରେ ରହୁଥିବାରୁ ଉଭୟ ମିଳାମିଶା କରୁଥିଲେ ବୋଲି ଲକ୍ଷ୍ମୀଧର ପୁଲିସ ଆଗରେ ସ୍ୱୀକାର କରିଛି । ଗତକାଲି ଅପରାହ୍ଣ ଗୋଟାଏ ବେଳେ ରଶ୍ମିତାଙ୍କ ୨ ବର୍ଷର ସାନ ପୁଅକୁ ଗାଧୋଇବାକୁ ଲକ୍ଷ୍ମୀଧର ସାଙ୍ଗରେ ଆଣିଥିଲା। ପରେ ପାଣିକୁଣ୍ଡରେ ତାକୁ ବାରମ୍ବାର ବୁଡ଼ାଇବା ସହ ପରେ ତଳେ କଚାଡ଼ି ଦେଇଥିଲେ । ଏହି ସମୟରେ ଶିଶୁପୁତ୍ରର ବଡ଼ଭଉଣୀ ଓ ବଡ଼ଭାଇ ମଧ୍ୟ ସାନଭାଇର କାନ୍ଦିବା ଶବ୍ଦ ଶୁଣି ପଳାଇ ଆସିଥିଲେ। ୨ ଭାଇଭଉଣୀଙ୍କ ସାମ୍ନାରେ ବାଥ୍ରୁମ୍ରେ ଲକ୍ଷ୍ମୀଧର ତାଙ୍କ ସାନଭାଇକୁ କଚାଡ଼ି ମାରିଦେଇଥିବା ଉଭୟ ପୁଲିସ ଆଗରେ କହିଛନ୍ତି। ତେବେ ମା’ ରଶ୍ମିତା ଧରାପଡ଼ିଯିବା ଭୟରେ ମିଛ କହି ନିଜ ପ୍ରେମ ଓ ପ୍ରେମିକକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଶିଶୁପୁତ୍ରର ମୃତ୍ୟୁ ଗତକାଲିଠାରୁ ଘଟିଥିବାବେଳେ ଆଜି ସକାଳେ ରଶ୍ମିତା ଶାଶୂଘରେ ଜଣାଇଥିଲେ କି ତାଙ୍କ ସାନପୁଅର ଛାତରୁ ପଡ଼ି ମୃତ୍ୟୁ ହୋଇଯାଇଛି । ରବିବାର ଦିନ ପୁଣି ଲକ୍ଷ୍ମୀଧର ପ୍ରେମିକା ରଶ୍ମିତାଙ୍କ ଘରକୁ ଆସିଥିଲା । କୌଣସି କାରଣରୁ ରଶ୍ମିତାଙ୍କ ବଡ଼ଝିଅ(୧୦)କୁ ମାଡ଼ ମାରୁଥିବାବେଳେ ସେ ଆଉ କୋହ ସମ୍ବରଣ କରିପାରି ନଥିଲା । ଜୋରରେ ପାଟି କରି କାନ୍ଦିବା ସହ ତାଙ୍କ ସାନଭାଇକୁ ଲକ୍ଷ୍ମୀଧର କଚାଡ଼ି ମାରି ଦେଇଥିବା କହିଥିଲା । ପରେ ପରିବାର ଲୋକଙ୍କୁ ଏନେଇ ଜଣାଇବା ପରେ ସ୍ଥାନୀୟ ବାସିନ୍ଦାମାନେ ଲକ୍ଷ୍ମୀଧରକୁ କାବୁ କରିନେଇଥିଲେ । ବଡ଼ ଭାଇଭଉଣୀ ଦୁହେଁ ସାନଭାଇର ହତ୍ୟାକାରୀକୁ ପୁଲିସକୁ ଚିହ୍ନେଇ ଦେଇଥିଲେ । କେମିତି ମାରିଥିଲେ ସେ କଥା ମଧ୍ୟ ପୁଲିସକୁ ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡ। ଇ ପୁଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଛି ।





