ଭୁବନେଶ୍ୱର, (ବାଘୁଆବାର୍ତ୍ତା): କିଛି ଦିନ ବ୍ୟବଧାନରେ ପୁଣି ଜଣେ ଯୁବକ ‘ନ୍ୟୁଡ୍ କଲ୍’ର ଶିକାର ହୋଇଛନ୍ତି। ଯୁବକଜଣକ ହେଲେ ପ୍ରଶାନ୍ତ କୁମାର ସୁନ୍ଦରାୟ। ସେ ଭରତପୁରର ଜିଏ କଲୋନୀରେ ରହିବା ସହ ରାଜମିସ୍ତ୍ରୀ ଭାବେ କାମ କରୁଛନ୍ତି। ଜଣେ ଯୁବତୀ ଫେସ୍ବୁକ୍ରେ ତାଙ୍କୁ ଭିଡିଓ କଲ୍ କରି ଅଶ୍ଲୀଳ ଫଟୋ ଭାଇରାଲ କରାଇବା ଧମକରେ ୭୪ ହଜାର ଟଙ୍କା ଠକି ନେଇଛନ୍ତି । ପ୍ରଶାନ୍ତ ପୂର୍ବରୁ ଫେସ୍ବୁକ୍ କି ହ୍ୱାଟସ୍ଆପ ବ୍ୟବହାର କରୁନଥିଲେ। କିଛି ମାସ ତଳେ ସେ ଏକ ସ୍ମାର୍ଟ ଫୋନ୍ କିଣିଲେ। ବହୁତ କମ ଦିନରେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ଭଳି ସୋସିଆଲ ମିଡିଆରେ ଅଭ୍ୟସ୍ତ ହୋଇଗଲେ। ତାଙ୍କର ସବୁବେଳେ ଫେସ୍ବୁକ୍ରେ ସର୍ଟ ଭିଡିଓ ଦେଖିବା ଓ ଅଚିହ୍ନା ଯୁବତୀଙ୍କ ସହ ଚାର୍ଟ କରିବା ଚାଲୁଥିଲା। ଗତ ଶୁକ୍ରବାର ଜଣେ ସୁନ୍ଦରୀ ଯୁବତୀ ତାଙ୍କ ସହ ମିଶିବାକୁ ଚେଷ୍ଟା କଲା । ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲା। ସେ ନିଜ ଆଡୁ ମେସେଜ୍ କରି ପ୍ରଶାନ୍ତଙ୍କ ସହ ଅନ୍ତରଙ୍ଗ ହେବାକୁ ଚେଷ୍ଟା କଲା। କଥାଛଳରେ ମିଶିବାକୁ ଚେଷ୍ଟା କରି ପ୍ରଶାନ୍ତଙ୍କୁ ଭିଡିଓ କଲ୍ କରିବାକୁ କହିଲା । ଭିଡିଓ କଲ୍ କରିବା ମାତ୍ରେ ଯୁବତୀଜଣକ ନିଜଆଡୁ ସଙ୍ଗେ ସଙ୍ଗେ ଅଶ୍ଳୀଳ ଆଚରଣ କରିବା ସହ ତାଙ୍କୁ ସେପରି କରିବାକୁ ପ୍ରବର୍ତ୍ତାଇଥିଲା । ପ୍ରଶାନ୍ତ ମଧ୍ୟ ତା’ ଛଳ ବୁଝିନପାରି ଭିଡିଓ କଲ୍ରେ ତାର ଇଙ୍ଗିତରେ ସବୁକିଛି କରିଚାଲିଲେ । ଯାହାର ଭିଡିଓ ରେକର୍ଡିଂ କରି ସେ ବ୍ଲାକ୍ମେଲ କରିବା ଆରମ୍ଭ କଲା । ପ୍ରଶାନ୍ତ ବାଧ୍ୟ ହୋଇ ଯୁବତୀଙ୍କ ଦାବି ମୁତାବକ ଯୁବତୀକୁ ପ୍ରର୍ୟ୍ୟାୟକ୍ରମେ ୧୦ ହଜାର, ୧୫ ହଜାର ଦେଇ ଚାଲିଲେ । ପ୍ରାୟ ୭୪ ହଜାର ଟଙ୍କା ଯୁବତୀକୁ ଦେବା ସତ୍ତେ୍ୱ ସେ ଲୋକଲଜ୍ୟା ଭୟରେ ନିକଟସ୍ଥ ଭରତପୁର ଥାନା କିମ୍ବା ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ଯାଇନାହାନ୍ତି ।





