ଭଞ୍ଜନଗର, (ବାଘୁଆବାର୍ତ୍ତା): ନିଜ ପତ୍ନୀ ପୁଅ ଝିଅଙ୍କୁ ହତ୍ୟା କରିବା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଦେବବ୍ରତ ପଟ୍ଟନାୟକ ଅଭିଯୁକ୍ତ ସିମାଞ୍ଚଳ ନାୟକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ସିମାଞ୍ଚଳ ନାୟକ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଭାରସାମ୍ୟ ହରାଇ ଗତ ୧୭/୨/୨୦୧୨ ମସିହାରେ ରାତିରେ ଘରେ ସଭିଏଁ ଖାଇପିଇ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ନିଜ ପତ୍ନୀ ଲକ୍ଷ୍ମୀ ନାୟକ (୩୩)ଙ୍କୁ ବେକକୁ ହାଣି ଦେଇଥିଲା। ପରେ ସେ ଅତ୍ୟନ୍ତ ନିର୍ଦ୍ଦୟ ହୋଇ ନିଜର ୧୨ ବର୍ଷର ଝିଅ ଶିବାନୀ ଓ ୯ ବର୍ଷର ପୁଅ ଦୀପକଙ୍କୁ ସେହି ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକକୁ ସମାନ ଢଙ୍ଗରେ କାଟି ଦେଇଥିଲା। ପରେ ସେ ଘର ବାରଣ୍ଡାକୁ ଆସି ନିଜ ପତ୍ନୀ ଓ ଦୁଇ ପୁଅ ଝିଅ ଙ୍କୁ ମାରି ଦେଇଥିବା କହି କାନ୍ଦିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବେଲପଡା ଗ୍ରାମର ଶୁକୁଟା ଗଉଡ ଏନେଇ ବଡଗଡ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ବଡଗଡ ପୁଲିସ ସେତେବେଳେ ଥାନାରେ ମାମଲା ରୁଜୁ କରି ସିମାଞ୍ଚଳ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତ ମୋଟ ୨୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୩ ଗୋଟି ଦଲିଲକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପିଏମ୍ . ତାଜ ଆଦେନୀ ଓ ସରକାରଙ୍କ ପକ୍ଷରୁ ଷ୍ଟେଟ ଡିଫେନ୍ସ ରମେଶ ଚନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।





