ସାଲେପୁର, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା’ ଭଗବତୀଙ୍କ ମନ୍ଦିରରୁ ଗତକାଲି ବିଳମ୍ଵିତ ରାତିରେ ଚୋରି ଅଭିଯୋଗ। ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରି କରିନେଲେ ଦୁର୍ବୃତ୍ତ। ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଭଳି ବିରଳମୂର୍ତ୍ତି କେଉଁଠାରେ ଦେଖିବାକୁ ମିଳେନାହିଁ। ସୂଚନାନୁଯାୟୀ, ସାଲେପୁର ଥାନା ବଟେଶ୍ୱର ମା’ ଭଗବତୀଙ୍କ ମନ୍ଦିର ବହୁ ପୁରାତନ ଓ ମୂଲ୍ୟବାନ ଧାତୁରେ ନିର୍ମିତ ଦେବୀ ଓ ପାର୍ଶ୍ଵ ଦେବାଦେବୀ ପୂଜା ପାଆନ୍ତି। ଏବେ ଏହି ପୀଠରେ ମା’ଙ୍କ ନବରାତ୍ର ପୂଜା ବେଶ ଆଡ଼ମ୍ବରରେ ଚାଲିଛି । ଗତକାଲି ବିଳମ୍ବିତ ରାତ୍ରରେ ମା’ଙ୍କ ନବରାତ୍ର ପୂଜା ସାରି ପୂଜକମାନେ ମନ୍ଦିର ପହଡ଼ପକାଇ ଯିବାପରେ କେହି ଦୁର୍ବୃତ୍ତ ମନ୍ଦିରର ତାଲାକାଟି ୩ ଗୋଟି ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରି ନେଇଛନ୍ତି । ଆଜି ଭୋର ସମୟରେ ମନ୍ଦିରକୁ ମା’ଙ୍କ ନବରାତ୍ର ପୂଜା କରିବାକୁ ଯିବାବେଳେ କବାଟ ଭାଙ୍ଗି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ଅଷ୍ଟଧାତୁର ପଞ୍ଚମୁଖୀ କାଳୀମୂର୍ତ୍ତି, ଲକ୍ଷ୍ମୀମୂର୍ତ୍ତି ଓ ଚନ୍ଦ୍ରଶେଖର ମୂର୍ତ୍ତି ଚୋରି ହୋଇଯାଇଛି । ଏହି ତିନୋଟି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡୁଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ତେବେ ଏପର୍ୟ୍ୟନ୍ତ ପୋଲିସ କାହାରିକୁ ଧରିବାରେ ସକ୍ଷମ ହୋଇନାହିଁ ।





