ସମ୍ବଲପୁର, (ବାଘୁଆବାର୍ତ୍ତା): ପୁଣି ସମ୍ବଲପୁରରେ ଚାଞ୍ଚଲ୍ୟ । ମୋବାଇଲ ଦେବାକୁ ଡାକି ନେଇ ନାବାଳିକା ଭାଣେଜୀ(୧୫)କୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ । ସେପଟେ, ୧ ମାସର ଅନ୍ତଃସତ୍ତ୍ୱା ଅବସ୍ଥାରେ ନାବାଳିକାଙ୍କୁ ପୁଲିସ୍ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନାଞ୍ଚଳରେ । ଏନେଇ ଅଭିଯୋଗ ହେବାରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ନାମରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଓ ତଲସରା ଥାନାରେ ଲୁଟ୍ ମାମଲା ରହିଥିବା ଜଣାପଡ଼ିଛି । ସେପଟେ, ନାବାଳିକାଙ୍କର ଶୁକ୍ରବାର ଡାକ୍ତରୀମାଇନା କରିବା ପରେ ପୁଲିସ୍ ତାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା । ଏହାପରେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ନେଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ନାବାଳିକାଙ୍କ ବାପା-ମା’ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ସମ୍ପର୍କୀୟ ମାମୁଁ ଘରକୁ ସବୁବେଳେ ଆସୁଥିଲେ । ତେବେ ଗତ ୨୦ ତାରିଖରେ ନାବାଳିକାଙ୍କୁ ମୋବାଇଲ୍ କିଣି ଦେବାକୁ କହି ଏହି ସମ୍ପର୍କୀୟ ମାମୁଁ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲା । ତାଙ୍କୁ ଏକ ମୋବାଇଲ୍ ଦେବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଶାରୀରିକ ସମ୍ପର୍କ ରଖିଥିଲା । ସେପଟେ, ନାବାଳିକାଙ୍କ ବାପା-ମା’ ଘରକୁ ଫେରି ତାଙ୍କୁ ନପାଇବା ପରେ ଏନେଇ ଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ । ପ୍ରାୟ ୧ ମାସ ପରେ ନାବାଳିକାଜଣଙ୍କ ଉକ୍ତ ଯୁବକ ଘରେ ଥିବା ଜାଣି ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ଝିଅକୁ ଆଣିବା ପାଇଁ । କିନ୍ତୁ ନାବାଳିକାଙ୍କୁ ବାହା ହେବ କହି ଯୁବକ ତାଙ୍କ ଝିଅକୁ ଛାଡ଼ିନଥିଲା । ଏନେଇ ସେମାନେ ପୁଲିସ୍କୁ ଅବଗତ କରିଥିଲେ । ସୂଚନା ପାଇ ଗୋବିନ୍ଦପୁର ପୁଲିସ୍ ଘଟଣଶସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରି ଥାନାକୁ ଆଣିଥିଲା । ପଚରାଉଚରା ପରେ ନାବାଳିକା ଜଣଙ୍କ ୧ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହି ଘଟଣା ପରେ ପୁଲିସ୍ ତାଙ୍କୁ ନେଇ ଡାକ୍ତରୀମାଇନା ପାଇଁ ଯାଇଥିଲା । ତେବେ ୧୬୪ ବୟାନ୍ ରେକର୍ଡ ସମୟରେ ନାବାଳିକା ତମାମ୍ ଘଟଣା ସମ୍ପର୍କରେ ବଖାଣିଥିବା ନେଇ ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।





