ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାହାଳ ଥାନା ଅଟଳା ସୁରେଖା ଆପାର୍ଟମେଣ୍ଟ୍ରେ ସୁଜାତା ରଥଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି । ସୁଜାତାଙ୍କ ପୁରୁଷ ବନ୍ଧୁ ମହମ୍ମଦ ଇଫ୍ତାରଙ୍କୁ ପୁଲିସ ଥାନାକୁ ଡ଼କାଇଛି । ଥାନାରେ ପହଞ୍ଚିବା ପରେ ସୁଜାତା କାହିଁକି ଆତ୍ମହତ୍ୟା କଲେ ସେ ନେଇ ପଚରାଉଚରା କରାଯିବ ବୋଲି ପୁଲିସ କହିଛି । ସେପଟେ ସୁଜାତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ପୁଲିସ ଅପେକ୍ଷା କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସୁଜାତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ସୂଚନା ଥାଉକି, ସୁଜାତା ଓ ସମ୍ବଲପୁରର ଇଫ୍ତାର ପାର୍ଟନରସିପ୍ରେ ପ୍ରିଣ୍ଟିଂ ପ୍ରେସ ଚଲାଇବା ସହ ଉଭୟ ସୁରେଖା ଆପାର୍ଟମେଣ୍୍୍ରେ ୪ବର୍ଷ ହେଲା ଲିଭ୍ ଇନ୍ ରିଲେସନ୍ସିପରେ ରହୁଥିଲେ । ସୁଜାତାଙ୍କ ବାପା-ମା’ ଉକ୍ତ ଆପାର୍ଟମେଣ୍ଟ୍ର ଅନ୍ୟ ଏକ ବ୍ଲକରେ ରହୁଥିଲେ । ସେମାନଙ୍କ ସ୍ୱୀକୃତିରେ ସୁଜାତା ଓ ଇଫ୍ତାର ଏକାଠି ରହୁଥିଲେ । ପୁଲିସ ତଦନ୍ତରୁ ସୁଜାତା ଚିଡ଼ି ଚିଡ଼ା ସ୍ୱଭାବର ଝିଅ ଏବଂ କଥା କଥାକେ ରାଗି ଯାଆନ୍ତି । ଏପରିକି ପୂର୍ବରୁ ମଧ୍ୟ ସେ ଅନେକ ଥର ଟିକେ ଟିକେ କଥାରେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦିଅନ୍ତି । ଇଫ୍ତାର ଜଣେ ସଂପର୍କୀୟଙ୍କ ବିବାହରେ ଯୋଗ ଦେବାପାଇଁ ୩ ଦିନ ପୂର୍ବରୁ ସମ୍ବଲପୁର ଚାଲି ଯାଇଥିଲେ । ୨ ଦିନ ଭିତରେ ସେ ଫେରି ଆସିବେ ବୋଲି କହିଥିଲେ । ହେଲେ ସେ ୩ ଦିନ ହେଲା ନ ଫେରିବାରୁ ଫୋନ୍ରେ ସୁଜାତାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ସୁଜାତା ସକାଳ ୯ଟାବେଳେ ତାଙ୍କ ମା’ଙ୍କୁ ଫୋନ୍ କରି ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ ତାଙ୍କ ମା’ ବିଶ୍ୱାସ କରି ନଥିଲେ । ତା’ ପରେ ସୁଜାତା ଶେଷ କଲ୍ ଇଫ୍ତାରଙ୍କୁ କରିଥିଲେ । ଉଭୟଙ୍କ ମଧ୍ୟରେ କ’ଣ ବାର୍ତ୍ତାଳାପ ହେଲା କେଜାଣି ଏହାର କିଛି ସମୟ ପରେ ସୁଜାତା ଘର ଭିତର ପଟୁ ବନ୍ଦ କରି ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ତଥାପି ସନ୍ଦେହରେ ଇଫ୍ତାର ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କୁ ଫୋନ୍ କରି ସୁଜାତା କ’ଣ କରୁଛନ୍ତିି ବୁଝିବା ପାଇଁ କହିଥିଲେ । ସିକ୍ୟୁରିଟି ଗାର୍ଡ ପହଞ୍ଚି ଘର ଭିତରପଟରୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ । ସେ କବାଟ ବାଡ଼େଇଥିଲେ ମଧ୍ୟ ସୁଜାତା ଖୋଲି ନଥିଲେ । ତେଣୁ ସିକ୍ୟୁରିଟି ଗାର୍ଡ ଏନେଇ ପାହାଳ ଥାନାକୁ ଫୋନ୍ କରି ଜଣାଇଥିଲେ । ପୁଲିସ ପହଞ୍ଚି କବାଟ ଭାଙ୍ଗି ଘରୁ ସୁଜାତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ସୁଜାତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । କବାଟ ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ବୋଲି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି । ତଥାପି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଜାତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣା ପଡ଼ିବ । ସୁଜାତାଙ୍କ ପୁରୁଷବନ୍ଧୁଙ୍କୁ ଫୋନ୍ ମାଧ୍ୟମରେ ନୋଟିସ କରାଯାଇଛି । ସେ ପହଞ୍ଚିବା ପରେ ସୁଜାତା କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ତାଙ୍କୁ ଜେରା କରାଯିବ ବୋଲି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି ।





