ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦିନେଶଙ୍କ ଘର ଆଗରେ ମୋ ଦେଢ଼ ବର୍ଷର ଛୁଆ ସହିତ ଦେହତ୍ୟାଗ କରିବି। ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଲିଖିତ ଭାବେ ଜଣାଇବି। ଏପରି କହିଛନ୍ତି ଗତ ୫୧ ଦିନ ହେଲା ପ୍ରେମିକ ଦିନେଶଙ୍କ ଘର ଆଗେ ଧାରଣା ଦେଇଥିବା ପ୍ରେମିକା ଦୀପିକା। ତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ୱ ହେଉଛି। ମହିଳା କମିଶନଙ୍କ ପାଖରେ ହାଜର ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଖବର ଅନୁସାରେ, ପ୍ରେମିକଙ୍କ ଘର ଆଗରେ ୫୧ ଦିନରେ ପହଞ୍ଚିଛି ଦୀପିକାଙ୍କ ଧାରଣା। ତାଙ୍କ ଘର ଆଗରେ ବସିବା ସହିତ ସେଠାରେ ରୋଷେଇ ମଧ୍ୟ କରୁଛନ୍ତି। ତାଙ୍କ ଛୁଆକୁ ବାପାର ପରିଚୟ ଓ ସ୍ତ୍ରୀକୁ ସ୍ବାମୀର ଅଧିକାର ନ୍ୟାୟ ପାଇଁ ସେ ଗତ ୫୧ ଦିନ ହେଲାଣି ବ୍ରହ୍ମପୁର ଦେଶିବେହେରା ସାହିରେ ଥିବା ଦିନେଶଙ୍କ ଘର ଆଗରେ ଧାରଣାରେ ଦେଇଛନ୍ତି। ଏବେ ଏହି ମାମଲା ବିଚାରାଧୀନ ରହିଛି। ସେପଟେ ମହିଳା କମିଶନଙ୍କ ପାଖରେ ଦୀପିକା ହାଜର ହୋଇ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦିନେଶ ହାଜର ହୋଇ ନାହାନ୍ତି। ସମୟକ୍ରମେ ଦିନ ଗଡ଼ିବା ସହିତ ଦୀପିକାଙ୍କୁ ନ୍ୟାୟ ମିଳିବାରେ ଡେରି ହେଉଛି। ସବୁଜାଗାରେ ତାଙ୍କୁ ଅପମାନ ସହିବାକୁ ପଡ଼ୁଛି। ଆଉ ସହି ହେବନି। ଏଣିକି ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି ଦୀପିକ। ଏଥିପାଇଁ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇବେ ବୋଲି ମଧ୍ୟ କହିଛନ୍ତି। କେବଳ ଏକୁଟିଆ ନୁହେଁ ତାଙ୍କ ସହ ଦେଢ଼ ବର୍ଷର ଛୁଆ ସହ ଦିନେଶଙ୍କ ଘର ଆଗରେ ହିଁ ଜୀବନ ହାରିବେ ବୋଲି କହିଛନ୍ତି ଦୀପିକା ।





