ତେଲକୋଇ, (ବାଘୁଆବାର୍ତ୍ତା): ତେଲକୋଇ ବନାଞ୍ଚଳ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ମୂଲ୍ୟବାନ୍ କେନ୍ଦୁ କାଠ ଲୁଟି ନେଉଛନ୍ତି ଆନ୍ତଃରାଜ୍ୟ କାଠ ମାଫିଆ। ନିରବଦ୍ରଷ୍ଟା ସାଜିଛି ବନବିଭାଗ। ବନ କର୍ମଚାରୀଙ୍କ ନାକ ତଳେ ଚାଲିଛି ଚୋରା କାଠ କାରବାର। ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ବନଖଣ୍ଡ ସୀମାନ୍ତ ଅଞ୍ଚଳ ରାଇସୁଆଁ ବିଟ୍ ସମାକୋଦ ଗାଁ ଝାଞ୍ଜିରିବେରେଣା ନିଳାପଶି ସାହି ନିକଟ ଭୁଲକାହୋଳିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭୁଲକାହୋଳିର ଗୋଟିଏ ପାଖ ଜଙ୍ଗଲ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ ଅଧିନରେ ଯାଉଥିବା ବେଳେ ହୋଳିର ଅନ୍ୟ ପାଖଟି ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିନରେ ରହିଛି। ଯାହା ଚୋରା କାଠ ବେପାର ପାଇଁ ମାଫିଆଙ୍କ ଚରାଭୂଇଁ ପାଲଟିଛି। ସହଜରେ ଜଙ୍ଗଲରୁ ଚୋରାରେ ମୂଲ୍ୟବାନ କେନ୍ଦୁ କାଠ କାଟି ଢେ଼ଙ୍କାନାଳ ସୀମା ଦେଇ ବାହାର ରାଜ୍ୟକୁ ଚଢା ଦରରେ ଚାଲାଣ କରୁଛନ୍ତି ଜଙ୍ଗଲ ମାଫିଆ। ଲକ୍ଷଲକ୍ଷ ଟଙ୍କାର କେନ୍ଦୁ କାଠ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ ଜାଣିପାରୁନି ନା ଜାଣିଶୁଣି ପକେଟ ଗରମ କରି ମୁହଁରେ ତୁଣ୍ଡି ମାରି ବସିଛି ତାହା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ରାଇସୁଆଁ ବିଟର ବନକର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସକ୍ରିୟ ହୋଇପଡିଛନ୍ତି କାଠ ମାଫିଆ। ଏଭଳି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏସମ୍ପର୍କରେ ତେଲକୋଇ ବନାଞ୍ଚଳ ଅଧିକାରୀ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଦେଇଥିବା ବେଳେ ଏତେ ସବୁ ଘଟଣା ସାମ୍ନାକୁ ଆସିବା ପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ କି ପ୍ରକାର କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।





