ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ନାଭାଲରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ଲୋକଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଆର.ବିନୋଦ କୁମାର, ବି.ରାକେଶ, କେ.ଶ୍ରୀକାନ୍ତ ଏବଂ କେ.ସୁଶାନ୍ତ । ଏମାନେ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟସ୍ଥ ଶାନ୍ତି ନଗରର ଆଶିଷ ପ୍ରଧାନଙ୍କୁ ନାଭାଲରେ ଚାକିରି କରାଇ ଦେବାକୁ କହି ୫ଲକ୍ଷ ଟଙ୍କା ନେଇଥିଲେ । ହେଲେ ଏହାରି ଭିତରେ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଚାକିରି ହୋଇନଥିଲା। ଫଳରେ ଆଶିଷ ନିଜ ଟଙ୍କା ମାଗିଥିଲେ ହେଲେ ତାହା ବି ଫେରସ୍ତ ଦେଇନଥିଲେ ଅଭିଯୁକ୍ତମାନେ । ଫଳରେ ଆଶିଷ ପାରଳାଖେମୁଣ୍ଡି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଏହି ୪ଜଣ ଅଭିଯୁକ୍ତ ବହୁ ଲୋକଙ୍କଠାରୁ ଏଭଳି ଟଙ୍କା ଠକି ନେଇଥିବା ଜାଣିବାକୁ ପାଇବା ପରେ ପୋଲିସ ସେମାନଙ୍କୁ ବିଶାଖାପାଟଣାରୁ ଗିରଫ କରିଛି । ଏମାନଙ୍କ ନିକଟରୁ ନାଭାଲ ଅଫିସର ପୋଷାକ ଏବଂ ବ୍ୟାଚକୁ ପୁଲିସ୍ ଜବତ କରିଛି । ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ଏହି ପୋଷାକ ବ୍ୟବହାର କରୁଥିବା ଏସପି ଏସପି ଜୟରାମ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।





