ବାଲିଗୁଡ଼ା, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବ୍ରାଉନସୁଗାର ବେପାର । ଗଞ୍ଜେଇ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଥିବା ବାଲିଗୁଡା ସହରରେ ଏବେ ବ୍ରାଉନସୁଗାର ବ୍ୟବସାୟ ଖୁବ ଜମୁଛି । ନିଶାରେ କବଳିତ ହେଉଛନ୍ତି ଯୁବ ଗୋଷ୍ଠୀ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବାଲିଗୁଡା ଏସଡିପିଓ ଜି ରାଘବେନ୍ଦ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗତ ରାତିରେ ହନୁମାନ ମନ୍ଦିର ନିକଟରୁ ଦୁଇଜଣକୁ ଗିରଫ କରିଛି । ଗିରଫ ଦୁଇ ବ୍ରାଉନ ସୁଗାର ମାଫିଆଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଇମ୍ରାନ ଖାନ ଏବଂ ଅନ୍ୟଜଣେ ବାଲିଗୁଡା ଡୁମୁଡିସାହିର ଶେଖ ନୟାବ ବୋଲି ପୁଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ପାଞ୍ଚ ଗ୍ରାମ ବ୍ରାଉନ ସୁଗାରକୁ ପୁଲିସ ଜବତ କରି ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ବାଲିଗୁଡା ଅଞ୍ଚଳରେ ବ୍ରାଉନ ସୁଗାର ନିଶାରେ ଯୁବଗୋଷ୍ଠୀ କବଳିତ ଥିବା ପୁଲିସ ପାଖରେ ଖବର ଥିଲା । ଏ ନେଇ ନିଶା ମାଫିଆଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା । ଚଢ଼ାଉବେଳେ ଅତିରିକ୍ତ ତହସିଲଦାର ବୀରେନ୍ଦ୍ର ତ୍ରିପାଠୀଙ୍କ ସମେତ ବାଲିଗୁଡା ପୁଲିସ ଟିମ ଉପସ୍ଥିତ ଥିଲା ।





