ଖୁଣ୍ଟା, (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ସକ୍ରିୟ ରହି ବନ୍ୟପ୍ରାଣୀ ଶିକାର କରୁଥିବା ବେଳେ ଗତ ରାତିରେ ଡୁକୁରା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପେଟ୍ରେଲିଂ କରାଯାଉଥିଲା । ଏହି ସମୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ୨ଟି ବନ୍ଧୁକ ସନ୍ଦିଗ୍ଧ ସ୍ଥାନରୁ ଠାବ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଉକ୍ତ ରେଞ୍ଜ ଅଧିନ ଫୁଲବାଡ଼ିଆ ସେକସନର ଫରେଷ୍ଟର ଆରତୀ ମାରାଣ୍ଡିଙ୍କ ନେତୃତ୍ଵରେ ଏସଟିପିଏଫ ଫରେଷ୍ଟ ଗାର୍ଡ଼ ସୁଶାନ୍ତ ବେହେରାଙ୍କ ଦ୍ଵାରା ଗତ ରାତିରେ ରେଞ୍ଜ ଅଧିନ ତଥା ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବିଭିନ୍ନ ସ୍ଥାନମାନଙ୍କରେ ପେଟ୍ରେଲିଂ ଜାରି ରହିଥିଲା । ତେବେ ବିଭାଗର ଏହି ପେଟ୍ରେଲିଂ ସମୟରେ ଅଭୟାରଣ୍ୟର କମ୍ପାଟମେଣ୍ଟ ଇଡ଼ି – ୪ର ଚୁନଭାଟି – ଖଲାଡି ଅଞ୍ଚଳରେ ଥିବା ପାଦ ଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ ଲୁଚାଇ ରଖିଥିବା ୨ଟି ଦେଶି ବନ୍ଧୁକକୁ ବିଭାଗ ପକ୍ଷରୁ ଉକ୍ତ ରାତିରେ ଠାବ କରିବା ସହ ଜବତ କରାଯାଇଛି । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନ ଥିବାବେଳେ , ଶିକାରୀମାନେ ସକ୍ରିୟ ରହି ଅଭୟାରଣ୍ୟ ମଧ୍ୟରେ ବନ୍ୟଜନ୍ତୁ ଶିକାରରେ ଲିପ୍ତ ରହିଥିବା ଅନୁମାନ କରାଯାଉଛି । ସଂପୃକ୍ତ ସ୍ଥାନକୁ କିପରି ବନ୍ଧୁକ ଆସିଲା ଏହାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।





