କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ। କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପଡୋଶୀଙ୍କ ଆକ୍ରମଣରେ ସେକ୍ ଅବଦୁଲ କାଦିର ଏବଂ ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନକୁ ପୋଲିସ ଅଟକ ରଖିଛି। କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାର ସେକ୍ ଅବଦୁଲ କାଦିର ଏବଂ ସେକ୍ ସଲିମ ଉଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଜମିଜମା ବିବାଦକୁ କେନ୍ଦ୍ରକରି କଳହ ଲାଗି ରହିଥିଲା। ଆଜି ସକାଳୁ ଘର ପାଖରେ ଅଳିଆ ପକାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ହଠାତ୍ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ପଡୋଶୀ ସେକ୍ ଅବଦୁଲ କାଦିର ଓ ତାଙ୍କ ଭାଇ ସେକ୍ ଅବଦୁଲ ସାଜିଦକୁ ଘର ଭିତରକୁ ଡାକି ନେଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲା। ପୂର୍ବରୁ ରଖିଥିବା ଏକ ଧାରୁଆ ଛୁରୀରେ ଦୁଇଭାଇଙ୍କୁ ଆକ୍ରମଣ କରିଥିଲା। ଫଳରେ ସେକ୍ ଅବଦୁଲ କାଦିର ଓ ସେକ୍ ଅବଦୁଲ ସାଜିଦଙ୍କ ହାତ,ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ପକ୍ଷରେ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନକୁ ପୋଲିସ ଅଟକ ରଖିଛି।





