କପ୍ତିପଦା, (ବାଘୁଆବାର୍ତ୍ତା): ମହିଳାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ। ଟଙ୍କା ବ୍ୟାଗ ଭାବି ଶିଶୁକନ୍ୟାର ପାଠପଢା ବ୍ୟାଗ ଲୁଟିନେଲେ ୩ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତେନ୍ତୁଳିସାହି ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ତେନ୍ତୁଳିସାହି ଗ୍ରାମର ରୀନା ଦାସ କପ୍ତିପଦାରେ ବ୍ୟାଙ୍କ କାମ ସାରି ଗତକାଲି ୯.୩୦ ସମୟରେ ନିଜ ୫ ବର୍ଷର ଝିଅକୁ ସ୍କୁଟିରେ ଧରି ଘରକୁ ଫେରୁଥିଲେ। ଏତିକି ବେଳେ ତେନ୍ତୁଳିସାହି ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପଛପଟୁ ରୀନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ରୀନା ଦାସ ଏବଂ ତାଙ୍କ ଝିଅ ତଳେ ପଡି ଯାଇଥିଲେ। ରୀନା ନିଜ ଝିଅକୁ ଉଠାଉଥିବା ସମୟରେ ଦୁର୍ବୃତ୍ତମାନେ ଆସି ମହିଳାଙ୍କୁ ଏକ ଭୁଜାଲିରେ ହାଣି ପକାଇଥିଲେ। ଯାହାଫଳରେ ମହିଳାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ ମହିଳା ଜଣକ ପାଟି କରିବାରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଭାବି ରୀନାଙ୍କ ଝିଅର ପାଠପଢା ବ୍ୟାଗ୍ ଲୁଟିନେଇ ସେଠାରୁ ଖସି ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ରୀନାଙ୍କୁ ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।





