ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ରତନପୁର ଗାଁର ବିଧବା ମହିଳା ରଜନୀ ସାହୁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍ କରିଛି ନୟାଗଡ଼ ଟାଉନ୍ ପୋଲିସ୍ । ଗିରଫ୍ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ କୁମାର ବେବେହା । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ରତନପୁର ଗାଁରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଘଟିଥିଲା ଏକ ହତ୍ୟାକାଣ୍ଡ । ରତନପୁର ଗାଁରେ ବସବାସ କରୁଥିବା ସ୍ୱର୍ଗତ ଉଦୀୟନାଥ ସାହୁଙ୍କ ଧର୍ମପତ୍ନୀ ରଜନୀ ସାହୁ(୫୦)ଙ୍କ ସହିତ ସେହି ଗ୍ରାମର ସନ୍ତୋଷ ବେହେରାଙ୍କର ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଶୁକ୍ରବାର ମଧ୍ୟାହ୍ନ ସମୟରେ ରଜନୀ ଦାଣ୍ଡ ଦୁଆରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ସନ୍ତୋଷ ଏକ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ପଡିଶା ଲୋକ ଦେଖି ରଜନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରଜନୀଙ୍କ ପୁଅ ଥାନାର ଦ୍ୱରାସ୍ଥ ହୋଇଥିଲେ । ତେବେ ପୋଲିସ୍ ଅଭିଯୋଗକୁ ଭିତିକରି ଥାନାରେ କେସ୍ ନଂ.୧୪୮/୨୦୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏବଂ ପୋଲିସ୍ ହତ୍ୟାକାଣ୍ଡର ୨୪ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ୍ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଲୁଚି ରହିଥିଲା । ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଚଢାଉକରି ଅଭିଯୁକ୍ତ ସନ୍ତୋଷ ବେହେରାକୁ ଗିରଫ୍ କରିବା ସହ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି ସୂଚନା ଦେଇଛନ୍ତି । ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ଏସଆଇ ଧମେନ୍ଦ୍ର ଶିଆଳ, ଏସଆଇ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।





