ଝାରସୁଗୁଡା, (ବାଘୁଆବାର୍ତ୍ତା): ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ବରଘାଟ ନିକଟରୁ ଦେଶୀ ବନ୍ଧୁକ ଓ ଭୁଜାଲି ସହ ୨ ଜଣ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ଲମଟିବାହାଲର ଉମେଶ କୁମାର ଯାଦବ ଓ ମଧୁବନ ନଗରର ଘନଶ୍ୟାମ ସାହୁ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଅଭଯୁକ୍ତ ଦ୍ବୟ ନିଜର ୪ ଜଣ ସହଯୋଗୀ ବିଶାଳ ବାଗ, ଡିଲା ନାମଦେଓ, ଆକାଶ ବାରିକ, ବନ ମିଶ୍ରଙ୍କ ସହ ମିଶି ବରଘାଟ ନିକଟରେ ଏକତ୍ରିତ ହୋଇ ଗାନ୍ଧୀଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଏ ନେଇ ପୋଲିସ ସୂଚନା ପାଇ ଚଢାଉ କରିଥିଲା । ପୋଲିସକୁ ଦେଖି ଅଭିଯୁକ୍ତ ଉମେଶ ଯାଦବ ଗୁଳି ଚାଳନା କରିଥିଲେ ହେଁ ପୋଲିସ ଉମେଶ ଓ ଘନଶ୍ୟାମକୁ ଧରିବାରେ ସଫଳ ହୋଇଥିବାବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ଏକ ଫୁଟା ଗୁଳି, ୩ ଟି ମୋବାଇଲ, ଦୁଇଟି ମୋଟର ସାଇକେଲ ଜବତ କରିଛି । ଅନ୍ୟପଟେ ଅନ୍ୟ ୪ ଜଣ ଫେରାର ହୋଇଛନ୍ତି ।





