ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ପୋଲିସକୁ ଛିନତାଇ ଗ୍ୟାଙ୍ଗ ର ଖୋଲା ଚ୍ୟାଲେଞ୍ଜ୍। ଗୁରୁବାର ବଡ଼ି ଭୋର୍ ସମୟରେ ବାରିପଦା ସଦର ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଘଟଣା ପରେ ଏବେ ରାତିରେ ଟାଉନ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଲୁଟ୍ ହୋଇଛି। ରାତି ୯ଟା ୩୦ ସମୟରେ ଜଣେ ଗହଣା ଦୋକାନଙ୍କ ଠାରୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଛନ୍ତି। ଯାହାଫଳରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ମୁତାବକ, ଗୁରୁବାର ସକାଳ ୫.୩୦ ମିନିଟ ସମୟରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ବାରିପଦା ବ୍ଲକ ଦେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଜଣେ ଅଜଣା ଯୁବକ ଆସି ସେମାନଙ୍କ ଠାରୁ ସୁନା ଚେନ୍ ଲୁଟି ନେଇ ଦୌଡି ପଳାଇଥିଲେ। ଲୁଟର ଶୀକାର ହୋଇଥିବା ମହିଳା ରତ୍ନ ମଂଜରୀ ନାଥଙ୍କ ସ୍ୱାମୀ ମନହର ନାଥ ଏନେଇ ଥାନାରେ ଏତଲା ଦେଇଥିଲେ। ଏନେଇ ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରାତି ପ୍ରାୟ ୯.୩୦ ସମୟରେ ଆଉ ଏକ ଲୁଟ୍ ହୋଇଛି। ବିଜୁଳି କାଟ୍ର ସୁଯୋଗ ନେଇ କଚେରୀ ମାର୍କେଟର ଗହଣା ଦୋକାନୀ ବିଜୟ ସିଂ ଦୋକନ ବନ୍ଦ କରି ବାରିପଦା ଟାଉନ ଥାନା ଦେଇ ଘରକୁ ଫେରିବା ବାଟରେ ଛିନତାଇର ଶିକାର ହୋଇଛନ୍ତି। ଏକ କଳା ପଲସରରେ ଜଣେ ଦୁର୍ବୃତ୍ତ ବିଜୟ ସିଂଙ୍କ ଠାରୁ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଥିଲା। ଯାହା ଫଳରେ ବିଜୟ ବାଇକ୍ରୁ ତଳେ ପଡ଼ି ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ସେପଟେ ଗୋଟିଏ ଦିନରେ ଥାନା ନିକଟରୁ ସକାଳେ ଓ ରାତିରେ ଦୁଇଟି ଚୋରି ଘଟଣା ବାରିପଦା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଛିନତାଇ ଗ୍ୟାଙ୍ଗ୍। ତେବେ ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ଚୋରୀ, ଡକାୟତି, ଛିନତାଇ ଭଳି ଅପରାଧ ବୃଦ୍ଧି ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ। ଯାହା ଫଳରେ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





