ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅର୍ନ୍ତଗତ ସୀତାପୁର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଗତ ମଙ୍ଗଳବାର ଦିନ ବାଉଁଶୁଣୀ ପୁଲିସ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ (୭/୨୨)ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା । ଏନେଇ ବାଉଁଶୁଣୀ ଥାନାରେ କେସ ନଂ ୮୨/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୃତଦେହ ପାଖରୁ ରେଢାଖୋଲ ଡାକ୍ତରଖାନାର ଓପିଡି ଟିକେଟ ଦୁଇଟି ପାଇବା ସହ ଓପିଡି ଟିକେଟରେ ତଳସୀ ନାଏକ ଏବଂ ଶୁକ ଲୁହା ଗ୍ରାମ ଘୁସୁରୁମାଲ ଲେଖାହୋଇଥିଲା । ଏହା ସହ ଏକ ୮ କେଜିର ପଥର ଓ ମହିଳାଙ୍କ ପିନ୍ଧା ବସ୍ତ୍ର ଜବତ କରିବା ପରେ ତଦନ୍ତ ଜୋରସୋର ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସ ମହିଳାଙ୍କ ବୟସ ୨୦ରୁ ୨୫ ବର୍ଷ ହୋଇଥିବା ଜାଣିବା ସହ ତାଙ୍କ ନାମ ସୁକାନ୍ତି ଓରଫ ସୁକ ଲୁହା ଗ୍ରାମ ଘୋସରମାଲ ଥାନା ରେଢାଖୋଲ ଜିଲ୍ଲା ସମ୍ବଲପୁର ବୋଲି ତଦନ୍ତ ସମୟରେ ଜାଣିଥିଲା । ମହିଳା ଜଣକ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନାର ବାଇଜ ଗ୍ରାମର ନିର୍ମଳ ଲୁହାଙ୍କୁ(୩୫) ୫ ବର୍ଷ ତଳେ ବିବାହ କରିଥିଲା । କୌଣସି କାରଣରୁ ସୁକାନ୍ତି ଲୁହା ଏକ ବର୍ଷ ହେବ ସ୍ୱାମୀ ନିର୍ମଳ ଲୁହା ଠାରୁ ଅଲଗା ହୋଇ ନିଜ ଭଉଣୀ ପାଖରେ ଘୁସରମାଲ ଗ୍ରାମ ଠାରେ ରହିଆସୁଥିଲା । ସ୍ୱାମୀ ନିର୍ମଳ ନିଜ ଗ୍ରାମରେ ରହୁଥିବା ବେଳେ ସ୍ତ୍ରୀ ସୁକାନ୍ତିର ଚରିତ୍ର ପ୍ରତି ସନ୍ଦେହ ହୋଇଥିଲା । ଏନେଇ ସ୍ୱାମୀ ନିର୍ମଳ ସ୍ତ୍ରୀ ସୁକାନ୍ତିକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିବା ସହ ନିଜ ସାଙ୍ଗ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାର କୁଂଜମରା ଗ୍ରାମର ରମାକାନ୍ତ ନାଏକ (୩୦) ସହ ଏକ ଯୋଜନା କରିଥିଲା । ଗତ ୨.୯.୨୦୨୨ ତାରିଖରେ ସ୍ୱାମୀ ନିର୍ମଳ ଓ ସାଙ୍ଗ ରମାକାନ୍ତ ମିଶି ସୁକାନ୍ତିଙ୍କୁ ଡାକି ବୌଦ୍ଧ ଆଣିଥିଲେ । ସ୍ୱାମୀ ନିର୍ମଳ ଓ ସାଙ୍ଗ ରମାକାନ୍ତ ସୁକାନ୍ତିକୁ ଏକ ଚୁନୁରି ସାହାଯ୍ୟରେ ବେକରେ ଗୁଡାଇ ମାରିଥିଲେ । ହତ୍ୟାରୁ ବଞ୍ଚିବା ପାଇଁ ଏକ ପଥରକୁ ଚୁନୁରି ସାହାଯ୍ୟରେ ବେକରେ ବାନ୍ଧି କୁଅରେ ପକାଇଦେଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ନିର୍ମଳକୁ କିଶୋରନଗର ଥାନା ଅଂଚଳରୁ ଓ ଅଭିଯୁକ୍ତ ରମାକାନ୍ତ ନାଏକକୁ ନାକଟିଦେଉଳ ଥାନା ଅଞ୍ଚଳରୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଅଛନ୍ତି ।





