କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଆଜିକୁ ପ୍ରାୟ ପାଞ୍ଚ ବର୍ଷ ତଳେ ବଙ୍ଗୋମୁଣ୍ଡା ଥାନା ଡ଼ଙ୍ଗରପଡା ପଞ୍ଚାୟତ ଦନ୍ଦ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟା ଘଟଣାରେ ପୁତୁରା ନିଜ କାକାଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ଏକ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରିଥିଲା। ସୂଚନା ଆଧାରରେ, ଘଟଣାଟି ଜାନୁଆରୀ ୨୦୧୮ ମସିହାରେ, ସନ୍ଧ୍ୟା ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଘଟିଥିଲା। ମୃତକଙ୍କ ପରିବାରଙ୍କ କହିବା ଅନୁସାରେ, ଧନ ସମ୍ପତ୍ତିକୁ ଦେଖି ପୁତୁରା ଅଶ୍ୱିନୀ ପାଢ଼ୀ ସହ୍ୟ କରିପାରି ନଥିଲା । ସେ କାକା ରମେଶ ପାଢ଼ୀଙ୍କୁ ନିଶାସକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ସାହାଯ୍ୟରେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରିଥିଲା। ଏହା ପରେ ବଙ୍ଗୋମୁଣ୍ଡା ପୁଲିସ ଅଶ୍ୱିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତର ଜାମିନ ନାମଂଜୁର ହେବାରୁ ସେହିଦିନ ଠାରୁ ବିଚାର ବିଭାଗୀୟ ହାଜତରେ ଥିଲା । ହେଲେ ପାଞ୍ଚ ବର୍ଷର ବ୍ୟବଧାନ ପରେ ଆଜି ସେହି ହତ୍ୟା କାଣ୍ଡର ଶୁଣାଣି କଣ୍ଟାବାଞ୍ଜି ଏଡିଜେ କୋର୍ଟ ଶୁଣାଇଛନ୍ତି । ମାନ୍ୟବର ବିଚାରପତି ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତାଙ୍କ ରାୟ ଶୁଣାଇ ଅଭିଯୁକ୍ତ ଅଶ୍ୱିନୀ ପାଢ଼ୀକୁ ଆଜୀବନ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି।





