ବରଗଡ଼, (ବାଘୁଆବାର୍ତ୍ତା): ଚାଷ ଜମିରୁ ଗାଈ ଫସଲ ଖାଇବାରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା। ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗୟାଧର ଝୁପା (୫୫ ବର୍ଷ)। ଚିକିତ୍ସାଧୀନ ଅବସ୍ଥାରେ ଗୟାଧରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି। ସୂଚନାନୁଯାୟୀ, ଖଲିଆପାଲି ଗାଁର ଧନିରାମ ବରିହାଙ୍କ ଚାଷ ଜମିରେ ଗାଈ ପଶି ଫସଲ ନଷ୍ଟ କରିଦେବାରୁ ଗୟାଧର ଝୁପା ଓ ଧନିରାମଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଧନିରାମ ଏକ ଲୁହା ଛଡ଼ରେ ଗୟାଧରଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଗୟାଧର ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗୟାଧରଙ୍କର ମୃତ୍ୟୁ ଘଟିଛି। ଏନେଇ ଗୟାଧରଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବରଗଡ଼ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଜୟଦେବ ବରିହାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।





