ନୟାଗଡ଼, (ବାଘୁଆବାର୍ତ୍ତା): ସରକାରୀ ଯାଗାରେ କିଛି ମୁଷ୍ଟିମେୟ ଲୋକ କବ୍ଜା କରି ବେସରକାରୀ ଭାବେ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି । ଲାଠିପଡ଼ା ରାଜସ୍ୱ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ବ୍ୟବଧାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ଲାଠିପଡ଼ାର ଏଆରଆଇ ଯାତାୟତ କରୁଥିଲେ ମଧ୍ୟ ତାଙ୍କର ମଧ୍ୟ ଦୃଷ୍ଟି ଗୋଚର ହେଉନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଜେମାଦେଇପୁର ଗ୍ରାମପଞ୍ଚାୟତରେ । ଉକ୍ତ ପଞ୍ଚାୟତର ରାଜପାଟଣା ଗ୍ରାମରେ ବଜାରର କେନ୍ଦ୍ରସ୍ଥଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୁଚନାନୁସାରେ ଉକ୍ତ ପଞ୍ଚାୟତଟି ରାଜପାଟଣା, ତଳପାଟଣା, ଲାଉସେଣା, ମାନ୍ଧାତାପୁର, ରଘୁନାଥପ୍ରସାଦ, ନରସିଂହପ୍ରସାଦ ଗ୍ରାମକୁ ନେଇ ଗଠିତ । ଏହି ପଞ୍ଚାୟତର ମୁଖ୍ୟାଳୟ ରାଜପାଟଣା ଓ କେନ୍ଦ୍ରସ୍ଥଳ । ଯାହାକି ଏହି ଅଞ୍ଚଳର ମୁଖ୍ୟ ଛକ ଗୋଟିଏ ପଟେ ନୟାଗଡ଼ ରାସ୍ତା ସଂଯୋଗ କରୁଛି, ଅନ୍ୟପଟେ ରଘୁନାଥପ୍ରସାଦ ନରସିଂହପ୍ରସାଦ ଇଟାମାଟିକୁ ସଂଯୋଗ କରୁଛି, ଅନ୍ୟ ଗୋଟିଏ ପଟେ ଲାଠିପଡ଼ା ରଣପୁର ରାସ୍ତାକୁ ସଂଯୋଗ କରୁଛି । ଅନ୍ୟପଟେ କାଳିକାପ୍ରସାଦ ଗୋଡିପଡ଼ାକୁ ସଂଯୋଗ କରୁଛି । ଉକ୍ତ କେନ୍ଦ୍ରସ୍ଥଳରେ ରାଜପାଟଣା ଛକରେ ଏକ ବଡ଼ ବ୍ୟବସାୟ ବଜାର ଅବସ୍ଥିତ । ଏହି ଛକରେ ଗରିବ କୃଷକ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରିବଟା କରିଥାନ୍ତି । ଏହି ଛକରେ ଏକ ସରକାରି ଯାଗାକୁ କିପରି ଭାବେ ଜଣେ ବେସରକାରୀ ବ୍ୟକ୍ତି ଗୃହ ନିର୍ମାଣ କରୁଛନ୍ତି ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି । ପ୍ରଶାସନିକ ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ତୁରନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି ।





