ଆନନ୍ଦପୁର, (ବାଘୁଆବାର୍ତ୍ତା): ରାତି ଅଧରେ ଘରେ ପଶି ସବୁ ସୁନା ଅଙ୍କାର ଲୁଟି ନେଲେ । ଏଥିସହ ମାରଣାସ୍ତ୍ରରେ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ। ଏବେ ଗୁରୁତର ୩ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ଗୋଲକ ପାଢୀ, ତାଙ୍କ ପତ୍ନୀ ଜୟନ୍ତୀ ଓ ଝିଅ ପ୍ରୀତିମୟୀ । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ପରେ ବାରିଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଏହାପରେ ସେମାନେ ଆଲମାରି ତାଡ଼ି ୧ଲକ୍ଷ ୮୦ ହଜାର ଟଙ୍କା , ସୂନା ଓ ୨ଟି ମୋବାଇଲ୍ ଲୁଟିନେଇଥିଲେ । ଏହି ସମୟରେ ଗୋଲକଙ୍କ ପରିବାର ଲୋକେ ଉଠି ପଡ଼ିବାରୁ ସେମାନେ ତାଙ୍କୁ ଲୁହାରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏହାପରେ ଦୁର୍ବୃତ୍ତମାନେ ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ। ଗୋଲକଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ପହଞ୍ଚି ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଚୋରି ହୋଇଥିବା ମୋବାଇଲକୁ ଟ୍ରାକ୍ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏନେଇ ଗୋଲକ କହିଛନ୍ତି, ରାତି ୨ଟା ଅଢେଇଟା ବେଳେ ଆଲମିରା ଭାଙ୍ଗିବା ଶବ୍ଦ ହେଲା। ଚିତ୍କାର କରିବାକୁ କେହି ଜଣେ ଏକ ବାଡ଼ିରେ ମୋତେ ପିଟିଦେଲେ। ଫଳରେ ମୁଁ ଅଚେତ ହୋଇପଡ଼ିଲି। ଚେତେ ଫେରିବା ବେଳକୁ ପତ୍ନୀ ଓ ଝିଅକୁ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରି ସାରିଥିଲେ। ଏଥିସହ ଘରୁ ସବୁ ଜିନିଷ ନେଇ ବାହାରୁ କବାଟ ଦେଇ ପଳାଇଲେ।





