ମୋରଡା, (ବାଘୁଆବାର୍ତ୍ତା): ଯୁବତୀକୁ କଚାଡି ମାରିଦେଲା ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ । ସୂଚନା ଥଆଉକି, ଉକ୍ତ ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତାଙ୍କୁ ଉକ୍ତ ଗ୍ରାମର ଯୁବକ ଚାମଟୁ ନାଏକଙ୍କ ପୁଅ ଟିପୁନ ନାଏକ ଗତ ମଙ୍ଗଳବାର ରାତିରେ କଚାଡି ଜୀବନରୁ ମାରିଦେବା ପରେ ଶବକୁ ନିକଟସ୍ଥ ଜଙ୍ଗଲରେ ଲୁଚାଇଦେଇଥିଲା । ତେବେ ଘଟଣା ସମ୍ପର୍କରେ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଖବର ପାଇ ସଙ୍ଗେ ସଙ୍ଗେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେବେ ଯାତ୍ରୀଙ୍କୁ ଗତ ତିନିବର୍ଷ ହେବ ଟିପୁନ ପ୍ରେମ କରୁଥିଲା। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁହେଁ ଏକତ୍ରିତ ଭାବେ ବସି କଥା ହେଉଥିବା ବେଳେ ହଠାତ କୌଣସି କାରଣକୁ କେନ୍ଦ୍ର କରି ଟିପୁନ ଉତ୍ତ୍ୟକ୍ତ ହୋଇ ଯାତ୍ରୀଙ୍କୁ ବାଡେଇଥିଲା । ତେବେ ସେତିକିରେ ରାଗ ଶାନ୍ତ ପଡିନଥିଲା । ଶେଷରେ ଯାତ୍ରୀଙ୍କୁ ଉଠାଇ କଚାଡି ଜୀବନରୁ ମାରିଦେଇଥିଲା ଟିପୁନ । ଏହା ପରେ ଯାତ୍ରୀଙ୍କ ମୃତଦେହକୁ ଜଙ୍ଗଲରେ ଲୁଚାଇ ରଖିଥିଲା । ତେବେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ପ୍ରେମିକ ଟିପୁନକୁ କୌଶଳ କ୍ରମେ ଗିରଫ କରିଥିବା ଜଣାପଡ଼ିଛି ।





