ବାଲେଶ୍ୱର, (ବାଘୁଆବାର୍ତ୍ତା): ପ୍ରଥମେ ଫେସବୁକ୍ରେ ବନ୍ଧୁତା। ବନ୍ଧୁତାରୁ ଚାଟିଂ। ଚାଟିଂରୁ ବନ୍ଧୁତା ଘନିଷ୍ଟ କରି ଫୋନ୍ ନମ୍ବର ଦିଆନିଆ। ଫୋନ୍ରେ କଥା ହେବା ପରେ ହନିଟ୍ରାପ୍ରେ ଫସୁଥିଲେ ସରକାରୀ କର୍ମଚାରୀ। ପରେ ଦାମୀ ଗିଫ୍ଟ ପଠାଉଥିଲେ ପଠାଉଥିବା ସୂଚନା ଦେଉଥିଲେ ବିଦେଶିନୀ। ବାସ୍, ଏହା ପରେ ଏହି ଦାମୀ ଗିଫ୍ଟ ପାଇବା ଲୋଭରେ ପଡ଼ୁଥିବା ଲୋକଙ୍କୁ ଚୁନ ଲଗାଉଥିଲେ ଲୁଟେରା। ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୂନ ଲଗାଇବା ମାମଲାରେ ପୁଲିସ ନୂଆଦିଲ୍ଲୀ ମଇଦାନଗରିରୁ ଆଉ ୨ ନାଇଜେରୀୟ ନାଗରିକଙ୍କୁ ଗିରଫ କରିବା ପରେ ଏଭଳି ସତ୍ୟ ସାମ୍ନାକୁ ଆସିଛି। ଏନେଇ ଆଜି ବାଲେଶ୍ୱର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଗିରଫ ଦୁଇ ଜଣ ହେଲେ ନାଇଜେରିଆ ଯୁବକ ଇ. ମାନୁଏଲ ନମାନି ଓ ତାର ସ୍ତ୍ରୀ ସୁଚିମ୍ ଟିଷ୍ଟ୍ର। ସେମାନଙ୍କ ପାଖରୁ ଗୋଟିଏ ଆଇ-୨୦ କାର, ଦୁଇଟି ସୁନା ଚେନ, ଗୋଟିଏ ମୁଦି, ଦୁଇଟି ଲାପଟପ, ୭ଟି ମୋବାଇଲ ଫୋନ, ଭ୍ୟାଲିଡିଟି ସରିଯାଇଥିବା ଭିସା, ପାସପୋର୍ଟ ଓ ଏସବିଆଇ ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି। ବ୍ୟାଙ୍କ ଖାତାରେ ପାୟ ୬ ଲକ୍ଷ ଟଙ୍କା ରହିଛି। ଏହି ମାମଲାରେ ପୂର୍ବରୁ ଗତ ୬ ତାରିଖରେ ଜଣେ ନାଇଜେରୀୟ ନାଗରିକ ଗିରଫ ହୋଇଥିଲେ। ତାଙ୍କ ନାମ ସାମସନ ଇମାନେ ଲିଆ। ଏନେଇ ବାଲେଶ୍ଵର ଅତିରିକ୍ତ ଏସପି ଅମରେସ କୁମାର ପାଣିଗ୍ରାହୀ କହିଛନ୍ତି, ସାମସନ ଓ ଇ. ମାନୁଏଲ ନମାନି ୟୁକେ ମହିଳାଙ୍କ ନାଁରେ ବିଭିନ୍ନ ପ୍ରକାର ଫେକ୍ ଫେସବୁକ୍ ଓ ୱାଟସ ଆପ୍ ଆଇଡି ଖୋଲି ବନ୍ଧୁତା କରିଥିଲେ। ନିଜକୁ ଜଣେ ମହିଳା ବୋଲି ଦର୍ଶାଇ ହନିଟ୍ରାପ୍ରେ ଅଭିଯୋଗକାରୀ ସରକାରୀ କର୍ମଚାରୀଙ୍କୁ ଫସାଇଥିଲେ। ପରେ ଲଣ୍ଡନରୁ ଗିଫ୍ଟ ପଠାଇଥିବା ଜଣାଉଥିଲେ। ପରେ ଗିଫ୍ଟ ପାଇବାକୁ ହେଲେ କଷ୍ଟମ ଫି ଓ ଇମିଗ୍ରେସନ ଫି ଦେବାକୁ କହି ଠକେଇ କରୁଥିଲେ। ଏହି ଠକେଇରେ ତାର ସ୍ତ୍ରୀ ଯିଏକି ନାଗାଲାଣ୍ଡର ଝିଅ ତାକୁ କଷ୍ଟମ ଅଫିସର ଭାବ ବ୍ୟବହାର କରୁଥିଲା। ଏହି ମହିଳା ଲୋକଙ୍କୁ ଫୋନ୍ କରି ଗିଫ୍ଟ ଆସିଥିବାର ସୂଚନା ଦେଇ ଟଙ୍କା ଲୁଟୁଥିଲା। ବାଲେଶ୍ୱର ସାଇବର ପୁଲିସର ତତ୍ପରତା ପରେ ଗିରଫ ଦାରି ୩ କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରୁଥିଲେ ବୋଲି ଶ୍ରୀ ପାଣି କହିଛନ୍ତି।





