ଆନନ୍ଦପୁର, (ବାଘୁଆବାର୍ତ୍ତା): ପୂର୍ବ ବିବାଦକୁ କେନ୍ଦ୍ରକରି ଗତ ଜୁଲାଇ ୧୪ ତାରିଖରେ ଗୁଳିମାଡ କରି ଗାଁର ସୁନନ୍ଦ ସେଠୀଙ୍କୁ ହତ୍ୟା ଘଟଣାରେ ପେଲିସ ମୁଖ୍ୟ ଅଭିଯୁକ୍ତ ଓ ତାର ଭାଇକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଘୋଷ ଓ ତାର ଭାଇ ଗିରିଧାରି ଘୋଷକୁ ଗତ ରାତିରେ କେନ୍ଦୁଝର ଜିଲ୍ଲା ସାହାରପଡା ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ କହିଛି । ଏହି ଘଟଣାରେ ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣ ଗିରଫ ହୋଇଥିବା ବେଳେ ମୋଟ ୧୨ ଜଣଙ୍କ ନାମରେ ଅଭିଯୋଗ ରହିଛି । ତେବେ ଗିରଫ ହୋଇନଥିବା ଅନ୍ୟ ୫ ଜଣଙ୍କ ବିରୋଧରେ ତଦନ୍ତ ଚାଲିଥିବା ଆନନ୍ଦପୁର ଏସଜିପିଓ କହିଛନ୍ତି । ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ ତାରିଖ ସନ୍ଧ୍ୟା ସମୟରେ ସୁନନ୍ଦ ଓ ତାର ଦୁଇ ସହଯୋଗୀ ହାଟରୁ ବାଇକ୍ ରେ ଘରକୁ ଫେରୁଥିବା ସମୟରେ ଖଲଣା ଗାଁ ସ୍କୁଲ ନିକଟରେ ଅକ୍ଷୟ ଘୋଷ ଓ ତାର ସହଯୋଗୀମାନେ ଜଗି ରହି ଅତର୍କିତ ଆକ୍ରମଣ କରିବା ସହ ସୁନନ୍ଦଙ୍କୁ ଗୁଳିମାଡ କରିଥିଲେ । ଏଥିରେ ସୁନନ୍ଦର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।





